ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ୪୮ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ । ଯାହାର ପ୍ରଭାବ ଓଡ଼ିଶା ଉପରେ ରହିଛି । ଆସନ୍ତା ୧୭ ତାରିଖରେ ଯାଏ ରାଜ୍ୟରେ ଲଗାଣ ବର୍ଷା ହେବ ।
ଆଜି ପାଇଁ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କଟକ, ଯାଜପୁର, ବାଲେଶ୍ୱର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ବାକି ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବର୍ଷା ସହିତ ବଜ୍ରପାତ ଓ ପବନର ସମ୍ଭାବନା ରହିଛି । କେତେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିପାରେ । ଏହି ସମୟରେ ସମୁଦ୍ରକୁ ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
ସେପଟେ ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି । ପ୍ରଥମରୁ ଦଶମ ଯାଏ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀ ଛୁଟି ଘୋଷଣା କରିଛନ୍ତି । ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି ।