ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିକାଶ ଓ ଜନକଲ୍ୟାଣକୁ ଫୋକସରେ ରଖି ୬ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମୋଟ ୧୦ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ଏହି ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ଯର ଜନସାଧାରଣଙ୍କୁ ସୁବିଧା ଯୋଗାଇବା, ସରକାରୀ ଯୋଜନାଗୁଡ଼ିକର ସୁପରିଚାଳନା ଏବଂ ରାଜ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ନିଆଯାଇଛି ।
କ୍ୟାବିନେଟରେ ପାରିତ ହୋଇଥିବା ପ୍ରସ୍ତାବ ଗୁଡ଼ିକ ମଧ୍ୟରେ କୃଷି, ଭିତ୍ତିଭୂମି, ନିଯୁକ୍ତି ଏବଂ ବିଭିନ୍ନ ବିଭାଗୀୟ ନିୟମାବଳୀର ସଂଶୋଧନ ଭଳି ଜନହିତକର କାର୍ଯ୍ୟ ରହିଛି । ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଗାମୀ ଦିନରେ ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ।
ସେହିପରି ସରକାରୀ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟକୁ ଅଧିକ ଦ୍ରୁତ, ସ୍ୱଚ୍ଛ ତଥା ସମ୍ପୂର୍ଣ୍ଣ କାଗଜ ବିହୀନ କରିବା ଉଦ୍ଦେଶ୍ୟରେ ‘ଓସ୍ୱାସ ୨.୦’ (OSWAS 2.0 – ଓଡ଼ିଶା ସେକ୍ରେଟାରିଏଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍)ର କାର୍ଯ୍ୟକାରିତାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ, ସବୁଜ ଶକ୍ତି ଉତ୍ପାଦନ ଲକ୍ଷ୍ୟରେ ‘ଓଡ଼ିଶା ନବୀକରଣଯୋଗ୍ୟ ଶକ୍ତି ନୀତି (OREP)’ର କିଛି ନିୟମରେ ପରିବର୍ତ୍ତନ କରାଯାଇଛି ।
କୃଷି କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟର ୬୮୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ମୋହର ବାଜିଛି। ଏହି ବିକାଶମୂଳକ କାର୍ଯ୍ୟ ଲାଗି ସରକାର ସମୁଦାୟ ୩୮୯ କୋଟି ଟଙ୍କାର ବ୍ୟୟବରାଦ ପାଇଁ ଅନୁମୋଦନ ଦେଇଛନ୍ତି।