ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ଉପରେ କଡ଼ା ଆକ୍ସନ। ରାଜ୍ୟରେ ଗୋଟିଏ ଦିନରେ ୭,୮୯୦ଟି ଇ-ଚାଲାଣ କାଟିଛି ଓଡ଼ିଶା ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି (STA)। ଏକକାଳୀନ ଏତେ ସଂଖ୍ୟକ ଇ-ଚାଲାଣ କଟିବା ଘଟଣା ଗତ କିଛି ମାସ ମଧ୍ୟରେ ବଡ଼ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଭାବେ ଦେଖାଯାଉଛି।
STA ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାଜ୍ୟବ୍ୟାପୀ ଟ୍ରାଫିକ୍ ନିୟମ ଯାଞ୍ଚ ସମୟରେ ଏହି ଇ-ଚାଲାଣଗୁଡ଼ିକ କଟାଯାଇଥିଲା। ବୁଧବାର STA ପକ୍ଷରୁ Xରେ ଏନେଇ ତଥ୍ୟ ଶେୟାର କରାଯାଇଛି।
ହେଲମେଟ୍ ବିନା ଗାଡ଼ି ଚାଳନାରେ ହଜାରେ ଧରା
ଗୋଟିଏ ଦିନରେ କଟିଥିବା ୭,୮୯୦ ଇ-ଚାଲାଣ ମଧ୍ୟରୁ ୨,୨୩୭ଟି ଚାଲାଣ ହେଲମେଟ୍ ନପିନ୍ଧି ଗାଡ଼ି ଚଳାଇବା ପାଇଁ କଟାଯାଇଛି। ଅର୍ଥାତ୍ ଏବେ ବି ବହୁ ସଂଖ୍ୟାରେ ଦୁଇଚକିଆ ଚାଳକ ହେଲମେଟ୍ ନିୟମକୁ ଅଣଦେଖା କରୁଛନ୍ତି।
ସେହିପରି ୧,୧୮୫ଟି ଇ-ଚାଲାଣ ଓଭରସ୍ପିଡିଂ ପାଇଁ କଟାଯାଇଛି। ଦ୍ରୁତ ଗତିରେ ଗାଡ଼ି ଚଳାଇବା ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥିବାରୁ ଏହା ଉପରେ ମଧ୍ୟ STA ନଜର କଡ଼ା କରିଛି।
ଡିଜିଟାଲ୍ ନଜରରେ ଟ୍ରାଫିକ୍ ନିୟମ
ରାସ୍ତାରେ ଟ୍ରାଫିକ୍ ନିୟମ ପାଳନକୁ ନିଶ୍ଚିତ କରିବା ପାଇଁ STA ପକ୍ଷରୁ ଅଟୋମେଟେଡ୍ ଏନଫୋର୍ସମେଣ୍ଟ ସିଷ୍ଟମ୍ ଓ ଡିଜିଟାଲ୍ ସର୍ଭିଲାନ୍ସ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜପଥଠାରୁ ଆରମ୍ଭ କରି ସହରାଞ୍ଚଳରେ ମଧ୍ୟ ନିୟମ ଉଲ୍ଲଂଘନ ଉପରେ ନଜର ରଖାଯାଉଛି।
ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର କମାଇବା ସହ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। STA ପକ୍ଷରୁ ଗାଡ଼ି ଚାଳକଙ୍କୁ ହେଲମେଟ୍ ପିନ୍ଧିବା, ଗତିସୀମା ମାନିବା ଏବଂ ସମସ୍ତ ଟ୍ରାଫିକ୍ ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି।