ବାଲେଶ୍ୱରରେ ପୁଣି ଘନେଇଲା ବନ୍ୟା ବିପଦ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ, ବର୍ତ୍ତମାନ ଜଳସ୍ତର ବଢ଼ି ୬.୫୮ ମିଟରରେ ପ୍ରବାହିତ ହେଉଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଛି । ବିଶେଷ କରି ଗତକାଲି ଠାରୁ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ମୋରଡା ଓ ଚିତ୍ରଡି ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଏହାର ପ୍ରଭାବ ଜଳକା ନଦୀ ଉପରେ ପଡ଼ିଛି । ଜଳସ୍ତର ପୁଣି ବଢ଼ିଲେ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବାର ଆଶଙ୍କା ରହିଛି ।
ଏହାର ପ୍ରଭାବରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୪ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ପୂର୍ବ ବନ୍ୟାର ପାଣି ଏଯାଏଁ ଅନେକ ଚାଷଜମିରୁ ସମ୍ପୂର୍ଣ୍ଣ ଛାଡ଼ି ନ ଥିବା ବେଳେ ପୁଣି ଜଳକାର ଜଳସ୍ତର ବଢ଼ିବା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ପୁଣି ବନ୍ୟା ହେଲେ ଚାଷ ଜମିରେ ଥିବା ଫସଲ ନଷ୍ଟ ହେବା ସହ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିପାରେ । ତେଣୁ ଜଳକା ନଦୀର ଜଳସ୍ତର ଉପରେ ଏବେ ପ୍ରଶାସନର ତୀକ୍ଷ୍ମ ନଜର ରହିଛି ।
ଅନ୍ୟପଟେ ବଙ୍ଗୋପସାଗରରେ ଘନୀଭୁତ ଅବପାତ ପ୍ରଭାବରେ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ଚେତାବନୀ ଦେଇଛି।