ପୁରୀ: ଚିଲିକାରେ ନାବାଳକକୁ ହତ୍ୟା ଘଟଣାରେ ପୋଲିସ୍ କୁ ମିଳିଛି ବଡ ସଫଳତା । ହତ୍ୟା ମାମଲାରେ ୧୮ ଜଣ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ଗ୍ରାମର ବାସିନ୍ଦା ଅଟନ୍ତି। ଚିଙ୍ଗୁଡ଼ି ଚୋରି ଘଟଣାକୁ କେନ୍ଦ୍ର କରି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ମାତ୍ର ୪୮ ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତମାନଙ୍କୁ କାବୁ କରିଛି। ଏସ୍ପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନେ ଚିଲିକା ଭିତରେ ଥିବା ବିଭିନ୍ନ ଦ୍ୱୀପରେ ଲୁଚି ରହିଥିଲେ, ଯାହାକୁ ଧରିବା ଏକ ଚାଲେଞ୍ଜିଂ କାର୍ଯ୍ୟ ଥିଲା ବୋଲି ଏସ୍ପି କହିଛନ୍ତି। ମୃତ ନାବାଳକ ଜଣକ ପିପିଲି ଅଞ୍ଚଳର ଓମ୍ ।
ସୂଚନା ଅନୁସାରେ ଗତ ସୋମବାର ସନ୍ଧ୍ଯାରେ ଚିଲିକା ଭିତରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ଏହି ଅଭିଯୁକ୍ତ ମାନେ ଅନ୍ୟ ଏକ ଡଙ୍ଗାରେ ଆସି ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିଲେ। ନିଜ ଜୀବନ ବଞ୍ଚାଇବା ପାଇଁ ସେମାନେ ପହଁରି କୂଳକୁ ଆସିବାରେ ସଫଳ ହୋଇଥିଲେ। ତେବେ ଏହି ସମୟରେ ଜଣେ ନାବାଳକ ମତ୍ସ୍ୟଜୀବୀ ଚିଲିକାର ଗଭୀର ପାଣିରେ ପଡ଼ିଯାଇଥିଲେ। ତାଙ୍କର କୌଣସି ପତ୍ତା ମିଳିନଥିବାରୁ ଗୁରୁତର ଆହତ ବ୍ୟକ୍ତିଙ୍କଠାରୁ ସୂଚନା ପାଇବା ପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ଦୀର୍ଘ ସମୟ ଧରି ଚିଲିକା ମଝିରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ପ୍ରଥମେ ମୃତଦେହର ସନ୍ଧାନ ମିଳିନଥିଲା। ଶେଷରେ ମଙ୍ଗଳବାର ମୃତଦେହଟି ଚିଲିକା ପାଣିରେ ଭାସୁଥିବା ଦେଖିବାକୁ ମିଳିବା ପରେ ତାହାକୁ ଚିହ୍ନଟ କରାଯାଇଥିଲା।
ଖବର ପାଇ ଘଟଣାସ୍ଥଳରେ ପୁରୀ ସଦର ଏସ୍ଡିପିଓ ମାନସ ବାରିକ, କୃଷ୍ଣପ୍ରସାଦ ଥାନା ପୁଲିସ ଓ ମାଲୁଦ ଅଗ୍ନିଶମ ବିଭାଗର ଟିମ୍ ଚିଲିକା ମଝିରେ ପହଞ୍ଚିଥିଲେ। ସେମାନଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯାଇଥିଲା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଗାଁରେ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲା ନାବାଳକ ଜଣକ । ମଝି ଚିଲିକାରକୁ ମାଛ ଧରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା।