ଭୁବନେଶ୍ୱର: କୃଷି ବିଭାଗର କାର୍ଯ୍ୟଶୈଳୀକୁ ନେଇ କଡ଼ା ହୋଇଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ହର୍ଟିକଲଚର ଅଫିସର ସମ୍ମିଳନୀରେ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କଡ଼ା ଚେତାବନୀ ଦେଇଛନ୍ତି।
ବିଶେଷକରି ବିଭିନ୍ନ ଏକ୍ସପୋଜର ଟୁର୍କୁ ଯାଉଥିବା ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି କେଭି ସିଂହଦେଓ। ତାଙ୍କ କହିବା ଅନୁଯାୟୀ, ଅନେକ ଅଧିକାରୀ ଉଦ୍ୟାନକୃଷି ସମ୍ପର୍କିତ ଅନୁଭୂତି ଓ ଜ୍ଞାନ ହାସଲ ପାଇଁ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନକୁ ଯାଉଛନ୍ତି। କିନ୍ତୁ ଟୁର୍ରୁ ଫେରିବା ପରେ ବିଭାଗକୁ ଆବଶ୍ୟକ ରିପୋର୍ଟ ଦେଉନାହାନ୍ତି।
ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, “ସରକାରଙ୍କୁ ଅନ୍ଧାରରେ ରଖନ୍ତୁ ନାହିଁ। ଯେଉଁ କାମ ପାଇଁ ଯାଉଛନ୍ତି, ତା’ର ସମ୍ପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ।”
‘ସରକାର ଚଳାଉନାହଁ ତୁମେ’
ଅଧିକାରୀମାନଙ୍କୁ ଚେତାବନୀ ଦେଇ କେଭି ସିଂହଦେଓ କହିଛନ୍ତି, “ରାଜ୍ୟ ସରକାର କିମ୍ବା ମୁଁ ରବର ଷ୍ଟାମ୍ପ ନୁହେଁ। ତୁମେମାନେ ସରକାର ଚଳାଉନାହଁ, ଆମେ ସରକାର ଚଳାଉଛୁ।”
ସେ ଆହୁରି କହିଛନ୍ତି ଯେ, ଯେଉଁ ଅଧିକାରୀ ନିୟମ ମାନିବେ ନାହିଁ କିମ୍ବା ନିଜ କାର୍ଯ୍ୟରେ ଅବହେଳା କରିବେ, ତାଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ। “ଯିଏ ନିୟମ ମାନିବ ନାହିଁ କିମ୍ବା କାମରେ ଅବହେଳା କରିବ, ସିଏ ଘରକୁ ପଳେଇବେ,” ବୋଲି ସେ ଚେତାଇଛନ୍ତି।
୫୮ କୋଲ୍ଡ ଷ୍ଟୋରେଜ୍କୁ ନେଇ ପ୍ରଶ୍ନ
ରାଜ୍ୟରେ ୫୮ଟି କୋଲ୍ଡ ଷ୍ଟୋରେଜ୍ ନିର୍ମାଣ ପାଇଁ ପୂର୍ବରୁ ଘୋଷଣା ହୋଇଥିଲା। ହେଲେ ଏହାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ମନ୍ତ୍ରୀ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି।
୫୮ଟି କୋଲ୍ଡ ଷ୍ଟୋରେଜ୍ ମଧ୍ୟରୁ ବର୍ତ୍ତମାନ କେବଳ ପୁରୀରେ ଗୋଟିଏ କୋଲ୍ଡ ଷ୍ଟୋରେଜ୍ ନିର୍ମାଣ ପ୍ରକ୍ରିୟା ଆଗେଇଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେଉଁଠି ତ୍ରୁଟି ରହିଛି ଏବଂ କାହିଁକି ଅନ୍ୟ ପ୍ରକଳ୍ପଗୁଡ଼ିକ ଆଗକୁ ବଢ଼ୁନାହିଁ, ସେନେଇ ଅଧିକାରୀଙ୍କଠାରୁ ସ୍ପଷ୍ଟ ଉତ୍ତର ମାଗିଛନ୍ତି।
‘ସୁପର ପାୱାର’ ହେବାକୁ ଚେଷ୍ଟା କରନି
ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା, ଦାୟିତ୍ୱବୋଧ ଓ ଜବାବଦେହିତାକୁ ଗୁରୁତ୍ୱ ଦେବାକୁ କେଭି ସିଂହଦେଓ ଅଧିକାରୀମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ସରକାରଙ୍କ ଉପରେ କେହି ‘ସୁପର ପାୱାର’ ହେବାକୁ ଚେଷ୍ଟା ନକରିବାକୁ ସେ କଡ଼ା ଭାଷାରେ ଚେତାଇଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ଏହି କଡ଼ା ଆଭିମୁଖ୍ୟ ପରେ କୃଷି ବିଭାଗରେ ହଲଚଲ ସୃଷ୍ଟି ହୋଇଛି। ଅଧିକାରୀମାନେ ନିଜ ଦାୟିତ୍ୱ ପ୍ରତି ଅଧିକ ସଚେତନ ହେବା ସହ ଯୋଜନାର ତ୍ୱରିତ କାର୍ଯ୍ୟକାରିତା ଉପରେ ସରକାର ଜୋର ଦେଇଛନ୍ତି।