କଟକ: କଟକ ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଶୁକରପଡ଼ାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଗଣଦୁଷ୍କର୍ମ ମାମଲାରେ ଅଟକ ଥିବା ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯, ୧୧୫ (୧), ୩୨୪ (୨), ୩୫୧(୩), ୭୦ (୧) ଓ ୮୭ ଅନୁସାରେ ଦଫା ଲଗାଯାଇଛି । ସମସ୍ତେ ନିଶ୍ଚିନ୍ତକୋଇଲି ଓ କେନ୍ଦ୍ରାପଡ଼ାର ଅଟନ୍ତି । ସମସ୍ତଙ୍କ ଡାକ୍ତରୀମାଇନା କରିବାକୁ ହସ୍ପିଟାଲକୁ ନିଆଯାଇଛି । ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଛି ।
କଟକ ଗ୍ରାମାଞ୍ଚଳ ଥାନା ଏସପି ବିନୀତ ଅଗ୍ରୱାଲ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଧରିବାକୁ ଚାରୋଟି ପୋଲିସ ଟିମ୍ ଗଠନ କରାଯାଇଥିଲା । ଜଣେ ଡିଏସପିଙ୍କ ନେତୃତ୍ୱରେ ଟିମ୍ ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅଭିଯୁକ୍ତଙ୍କୁ ଧରାଯାଇଥିଲା । ଆଉ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଛନ୍ତି । ତାକୁ ଧରିବାକୁ ପୋଲିସ ଚଢ଼ଉ ଜାରି ରଖିଛି । ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତଙ୍କର ଡାକ୍ତରୀମାଇନା କରାଯାଇଛି । ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଚେଷ୍ଟା କରାଯିବ ବୋଲି ଏସପି କହିଛନ୍ତି ।
ଗତ ମଙ୍ଗଳବାର ଦିନ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଏକ କାରରେ ଭୁବନେଶ୍ୱରରୁ ସାଲେପୁର ରାସ୍ତା ଦେଇ କେନ୍ଦ୍ରାପଡ଼ା ଯାଉଥିବାବେଳେ ଶୁକରପଡ଼ା ଡାକବଙ୍ଗଳା ନିକଟରେ ବିଶ୍ରାମ ନେଉଥିଲେ । ନିଶ୍ଚିନ୍ତକୋଇଲିରେ ଗାଡ଼ିରେ ତେଲ ପକାଇବା ପରେ ରାସ୍ତା କଡ଼ାରେ ଗାଡ଼ି ଅଟକାଇଥିବାବେଳେ କିଛି ଅଜଣା ବ୍ୟକ୍ତି ସେମାନଙ୍କ କାର୍ କବାଟ ବାଡ଼େଇଥିଲେ । ଏମାନେ ନ ଖୋଲିବାରୁ ଏକ ଚିମୁଟା ସାହାଯ୍ୟରେ କାର କବାଟକୁ ତାଡ଼ିବା ସହିତ କାଚ ଭାଙ୍ଗିଥିଲେ । ଏହା ଯୁବତୀଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ । ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିବା ସହିତ ଏକ ପରିତ୍ୟକ୍ତ ଘରେ ଯୁବତୀଙ୍କ ସହିତ କୁକର୍ମ କରିଥିଲେ । ଏହା ପରେ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ । ବୁଧବାର ଭୋର ସମୟରେ କିଛି ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ଉଦ୍ଧାର କରିଥିଲେ ।