ନୂଆଦିଲ୍ଲୀ: କ୍ରମାଗତ ବିରୋଧୀଙ୍କ ହଟ୍ଟଗୋଳ ଓ ମୁଲତବୀ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ପୃଥକଭାବେ ଗୃହକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରିଛନ୍ତି । ଚଳିତ ମୌସୁମୀ ଅଧିବେଶନରେ ସର୍ବମୋଟ ୧୨ଟି ପାରିତ ହୋଇଥିବାବେଳେ ୧୧ ଟି ବିଲ୍ ବିନା ଆଲୋଚନାରେ ଲୋକସଭାରେ ପାରିତ ହୋଇଛି । ମାତ୍ର ଗୋଟିଏ ବିଲ୍ ଆଲୋଚନାରେ ପାରିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ରିଜିଜୁ ବିରୋଧୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ଗୃହ ମଧ୍ୟରେ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ବିତର୍କରୁ ଦୂରେଇ ରହୁଛନ୍ତି । କାର୍ଯ୍ୟ ଦୃଷ୍ଟିରୁ ଅଧିବେଶନ ସଫଳ ହୋଇଥିଲେ ମଧ୍ୟ ହଟ୍ଟଗୋଳ ଏବଂ ବିଭ୍ରାଟ ଯୋଗୁଁ ବିତର୍କ ଦୃଷ୍ଟିକୋଣରୁ ଏହା ନିରାଶାଜନକ ପ୍ରମାଣିତ ହୋଇଛି । ଏନଡିଏ ସଦସ୍ୟ ଏବଂ କିଛି ବିରୋଧୀ ସାଂସଦ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ, ପ୍ରମୁଖ ବିରୋଧୀ ଦଳଗୁଡ଼ିକ ବାରମ୍ବାର ବିଭ୍ରାଟ ସୃଷ୍ଟି କରିଥିଲେ ଏବଂ ୱାକଆଉଟ୍ କରିଥିଲେ।
ଶାସକ ଓ ବିରୋଧୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସଂସଦର ବହୁମୂଲ୍ୟ ସମୟ ଅପଚୟ ହୋଇଛି । ଅଧିବେଶନ ପାଇଁ ଧାର୍ଯ୍ୟ କରାଯାଇଥିବା ମୋଟ ସମୟ ତୁଳନାରେ ଲୋକସଭାରେ ମାତ୍ର 19 ପ୍ରତିଶତ ବ୍ୟବହାର ହୋଇଥିବାବେଳେ ରାଜ୍ୟସଭାରେ 39 ପ୍ରତିଶତ ଗୃହକାର୍ଯ୍ୟ ହୋଇଛି । ରିଜିଜୁ କହିଛନ୍ତି ଯ ଲୋକସଭାରେ ଗୃହୀତ ୧୨ ଟି ବିଲ୍ ମଧ୍ୟରୁ ୧୧ ଟି ବିନା ବିତର୍କରେ ଗୃହୀତ ହୋଇଥିଲା । କାରଣ ବିରୋଧୀ ଦଳ ଆଲୋଚନାରେ ଅଂଶଗ୍ରହଣ କରିନଥିଲେ। ଅଧିବେଶନ ସମୟରେ କେବଳ ଗୋଟିଏ ବିଲ୍ ଉପରେ ଉଭୟ ଗୃହରେ ଏକ ପୂର୍ଣ୍ଣ ଏବଂ ବିସ୍ତୃତ ଆଲୋଚନା ହୋଇଥିଲା । ତାହା ଥିଲା ସାର୍ବଜନୀନ ପରୀକ୍ଷା (ଅନ୍ୟାୟ ନିବାରଣ) ଆଇନ ।
ନିଜର ଦୀର୍ଘ ସଂସଦୀୟ ଅଭିଜ୍ଞତାକୁ ଉଲ୍ଲେଖ କରି ରିଜିଜୁ ମନ୍ତବ୍ୟ ଦେଇଛନ୍ତି ଯେ ଏହା ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ଘଟିଛି ଯେଉଁଠି ବିରୋଧୀ ଦଳ ବିତର୍କରୁ ଦୂରେଇ ରହୁଥିବା ଦେଖିଛନ୍ତି । କାରଣ ବିରୋଧୀ ଦଳଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସରକାର ଚାହୁଁଥିବାବେଳେ ବିରୋଧୀ ଏଡ଼ାଇବାକୁ ବାହାନା ଖୋଜୁଥିଲେ । ଏହା ସଂସଦୀୟ ଗଣତନ୍ତ୍ର ପାଇଁ ଏକ ଅଶୁଭ ସଙ୍କେତ ଅଟେ । ଏଥିରେ ନୂତନ ଅନୁଭୂତି ନେବାକୁ ଆସିଥିବା ନବାଗତ ସାଂସଦଙ୍କ ପାଇଁ ନିରାଶ ଜନକ ପ୍ରଦର୍ଶନ ଥିଲା । ସେମାନେ ସଂସଦରୁ ନୂତନ ଶିକ୍ଷାଲାଭ କରିବାକୁ ବଞ୍ଚିତ ହେଲେ । ଆଗାମୀ ଅଧିବେଶନରେ ବିରୋଧୀଙ୍କ ମନରେ ଏକ ସକାରାତ୍ମକ ଚିନ୍ତାଧାରା ଆସିବ ବୋଲି କେନ୍ଦ୍ର ମନ୍ତ୍ରୀ ରିଜିଜୁ ଆଶାବ୍ୟକ୍ତ କରିଛନ୍ତି ।