ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବର ମାସରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଘଟିଥିବା ଭୟାବହ କାର୍ ବୋମା ବିସ୍ଫୋରଣ ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଜାତିସଂଘ ସୁରକ୍ଷା ପରିଷଦର (UNSC) ଏକ ସଦ୍ୟତମ ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି ଯେ, ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଙ୍ଗଠନ ଅଲ-କାଏଦାର ସହଯୋଗୀ ସଙ୍ଗଠନ 'AQIS' (Al-Qaida in the Indian Subcontinent)ର ସିଧାସଳଖ ହାତ ଥିଲା।
ଜାତିସଂଘର ୧୨୬୭ ମନିଟରିଂ କମିଟିର ୩୮ତମ ରିପୋର୍ଟ ଅନୁଯାୟୀ, AQIS ଏବେ ଏକ ଖଣ୍ଡବିଖଣ୍ଡିତ ଗୋଷ୍ଠୀ ବଦଳରେ ଏକ ଶକ୍ତିଶାଳୀ ଆଞ୍ଚଳିକ ଆତଙ୍କବାଦୀ ସଙ୍ଗଠନ ଭାବେ ସଂଗଠିତ ହେଉଛି। ଏହି ସଙ୍ଗଠନ ବଡ଼ ୟୁନିଟ୍ ପରିବର୍ତ୍ତେ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ବିଚ୍ଛିନ୍ନ ସେଲ୍ ଏବଂ ଦୃଢ଼ ଆର୍ଥିକ ନେଟୱାର୍କ ପ୍ରସ୍ତୁତ କରି କାର୍ଯ୍ୟ କରୁଛି ବୋଲି ରିପୋର୍ଟରେ କୁହାଯାଇଛି।
ଗତବର୍ଷ ନଭେମ୍ବର ୧୦ ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ଚଳନ୍ତା ଗାଡ଼ିରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ହୃଦୟବିଦାରକ ଆକ୍ରମଣରେ ୧୧ ଜଣ ନିରୀହ ଲୋକପ୍ରାଣ ହରାଇଥିବାବେଳେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ବିସ୍ଫୋରଣରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ସମ୍ପୃକ୍ତ ଥିଲା।
ଏହି ମାମଲାରେ ଭାରତୀୟ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନ୍.ଆଇ.ଏ. ପକ୍ଷରୁ ଏହି ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଛି, ଯେଉଁମାନେ AQIS ର ଏକ ଅଫ୍ସୁଟ୍ 'ଅନ୍ସାର ଗଜୱତ-ଉଲ୍-ହିନ୍ଦ' ସହ ଜଡ଼ିତ ଥିଲେ। ଜାତିସଂଘର ଏହି ନୂତନ ରିପୋର୍ଟ ଭାରତୀୟ ଏଜେନ୍ସିଗୁଡ଼ିକର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନକୁ ଆହୁରି ଅଧିକ ମଜବୁତ କରିଛି।