ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥଗୁଡ଼ିକରେ ଜରୁରୀକାଳୀନ ସେବାକୁ ଆହୁରି ଉତ୍ତରଦାୟୀ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ରାଜପଥ ପ୍ରାଧିକରଣ NHAI CARE ସିଷ୍ଟମର ବ୍ୟବହାରକୁ ସମସ୍ତ ପ୍ରକଳ୍ପରେ ବାଧ୍ୟତାମୂଳକ କରିଦେଇଛି। NHAI ବୁଧବାର ଜାରି କରିଥିବା ଏକ ସର୍କୁଲାର୍ ମାଧ୍ୟମରେ ଘଟଣା ପରିଚାଳନା ବ୍ୟବସ୍ଥା (Incident Management System) କୁ ସୁଦୃଢ଼ କରିବା ଏବଂ ଆମ୍ବୁଲାନ୍ସ ସେବା ପାଇଁ ମାନକ SLA ଓ ଦଣ୍ଡବିଧାନ ପ୍ରାବଧାନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।
ଏହି ନୂଆ ବ୍ୟବସ୍ଥା ଅଧୀନରେ ଏବେ NHAI ପ୍ରକଳ୍ପଗୁଡ଼ିକରେ ମୁତୟନ ସମସ୍ତ ଅନ୍-ରୋଡ୍ ୟୁନିଟ୍, ଆମ୍ବୁଲାନ୍ସ/କ୍ରେନ୍/ପେଟ୍ରୋଲିଂ ଗାଡ଼ି ପାଇଁ NHAI CARE ସିଷ୍ଟମର ବ୍ୟବହାର ବାଧ୍ୟତାମୂଳକ ହେବ—ପ୍ରକଳ୍ପର ମୋଡ୍ ଯାହା ବି ହୋଇଥାଉ ନା କାହିଁକି। ଏଥିପାଇଁ ସମସ୍ତ ଅନ୍-ରୋଡ୍ ୟୁନିଟ୍ରେ AIS-140 ମାନକ ବିଶିଷ୍ଟ GPS ଲଗାଯିବ। ଏହାସହିତ ପ୍ରତ୍ୟେକ ୟୁନିଟ୍କୁ IoT ସିମ୍ ଥିବା ଆଣ୍ଡ୍ରୋଏଡ୍ ମୋବାଇଲ୍ ଡିଭାଇସ୍ ଦିଆଯିବ, ଯେଉଁଥିରେ NHAI CARE ମୋବାଇଲ୍ ଆପ୍ଲିକେସନ୍ ପୂର୍ବରୁ ଇନ୍ଷ୍ଟଲ୍ ହୋଇଥିବ। ସେହିପରି ଘଟଣା ପରିଚାଳକ (Incident Managers) ମାନଙ୍କୁ ଆଣ୍ଡ୍ରୋଏଡ୍ ଟାବଲେଟ୍ ଦିଆଯିବ, ଯେଉଁଥିରେ NHAI CARE ଡ୍ୟାସବୋର୍ଡ ଆପ୍ଲିକେସନ୍ ରହିବ।
୨୪×୭ କଲ୍ ସେଣ୍ଟର୍ ମଧ୍ୟ ସ୍ଥାପିତ
NHAI ଏକ ୨୪×୭ କଲ୍ ସେଣ୍ଟର୍ ମଧ୍ୟ ସ୍ଥାପନ କରିଛି, ଯେଉଁଥିରେ ପ୍ରତ୍ୟେକ ଶିଫ୍ଟରେ ୮ ଜଣ ହେଲ୍ପଲାଇନ୍ କର୍ମଚାରୀ ଏବଂ ଜଣେ ଡାକ୍ତର ମୁତୟନ ରହିବେ। ଏହା ବ୍ୟତୀତ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ (RO) ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ୟୁନିଟ୍ (PIU) କୁ NHAI CARE ଡ୍ୟାସବୋର୍ଡ ସୁବିଧା ଏବଂ ଏହାର ବ୍ୟବହାର ସମ୍ପର୍କରେ ତାଲିମ୍ ଦିଆଯିବ।
ନିୟମ ପାଳନ ନକଲେ ଲାଗିବ ଜରିମାନା
ଆମ୍ବୁଲାନ୍ସ ସେବାକୁ ଅଧିକ ଦାୟିତ୍ୱବାନ୍ କରିବା ପାଇଁ ୧୦ଟି ମୁଖ୍ୟ ମାପଦଣ୍ଡ ସ୍ଥିର କରାଯାଇଛି, ଯାହା ପାଳନ ନହେଲେ ଜରିମାନା ଲଗାଯିବ। ଯେପରିକି, NHAI CARE ଆପ୍ କିମ୍ବା GPSର ଉପଲବ୍ଧତା ୯୯ ପ୍ରତିଶତରୁ ଅଧିକ ବଜାୟ ରଖିବା ଜରୁରୀ ହେବ। ଏଥିରେ ବ୍ୟତିକ୍ରମ ହେଲେ ଦୈନିକ ୨,୫୦୦ ଟଙ୍କାର ଜରିମାନା ଲାଗିବ। ଏହା ବ୍ୟତୀତ କୌଣସି ଜରୁରୀକାଳୀନ ଟିକେଟ୍କୁ ଏକ ମିନିଟ୍ରୁ କମ୍ ସମୟ ମଧ୍ୟରେ ସ୍ୱୀକାର କରିବାକୁ ହେବ ଏବଂ ଯଦି ବିଳମ୍ବ ହୁଏ, ତେବେ ପ୍ରତ୍ୟେକ ଅତିରିକ୍ତ ମିନିଟ୍ ପାଇଁ ୫,୦୦୦ ଟଙ୍କାର ଜରିମାନା ଲାଗିବ।
ସେହିପରି, ୧୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ପାଇଁ ଆମ୍ବୁଲାନ୍ସକୁ ୧୦ ମିନିଟ୍ ମଧ୍ୟରେ ଦୁର୍ଘଟଣା ସ୍ଥଳରେ ପହଞ୍ଚିବାକୁ ହେବ; ଯଦି ବିଳମ୍ବ ହୁଏ, ତେବେ ପ୍ରତି ଘଟଣା ପିଛା ୧୦,୦୦୦ ଟଙ୍କାର ଜରିମାନା ଆଦାୟ କରାଯିବ। ଏହାଛଡ଼ା ଟିକେଟ୍ ସ୍ୱୀକାର ହେବାର ଏକ ଘଣ୍ଟା ମଧ୍ୟରେ ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇବା ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ କରାଯାଇଛି, ଯେଉଁଥିରେ ବିଳମ୍ବ ହେଲେ ୧୦,୦୦୦ ଟଙ୍କା ଜରିମାନା ହେବ ଏବଂ କୌଣସି ଜରୁରୀକାଳୀନ ଟିକେଟ୍କୁ ଅସ୍ୱୀକାର କଲେ ପ୍ରତି ଅସ୍ୱୀକୃତି ପାଇଁ ୧୦,୦୦୦ ଟଙ୍କା ଜରିମାନା ଲଗାଯିବ।
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ସ୍ପଷ୍ଟ କରିଛି ଯେ କୌଣସି ଦୁର୍ଘଟଣା ସମୟରେ ଯଦି ସମ୍ପୃକ୍ତ ପ୍ରକଳ୍ପ ଅଞ୍ଚଳରେ ଆମ୍ବୁଲାନ୍ସ ଉପଲବ୍ଧ ନଥାଏ, ତେବେ ନିକଟସ୍ଥ ଅନ୍ୟ ପ୍ରକଳ୍ପର ଆମ୍ବୁଲାନ୍ସ ତୁରନ୍ତ ସହାୟତା ଯୋଗାଇଦେବ। ଏହା ବ୍ୟତୀତ ପ୍ରତ୍ୟେକ ୨୪ ଘଣ୍ଟାରେ ଅତିକମରେ ୫ କିଲୋମିଟରର 'ଡ୍ରାଇ ରନ୍' କିମ୍ବା ମକ୍ ଡ୍ରିଲ୍ କରିବାକୁ ହେବ; ଏହାର ଉଲ୍ଲଂଘନ ହେଲେ ମାସିକ ପେମେଣ୍ଟରୁ କାଟ୍ କରାଯିବ।
ସର୍ବାଧିକ ମାସିକ ଜରିମାନା ୨.୫୦ ଲକ୍ଷ ଟଙ୍କା
ସମସ୍ତ KPI/SLA ଅନୁପାଳନ ଏବଂ ଜରିମାନାର ଗଣନା NHAI CARE ସିଷ୍ଟମ୍ ଦ୍ୱାରା ସ୍ୱୟଂଚାଳିତ (ଆଟୋମେଟିକ୍) ଭାବେ କରାଯିବ। ସର୍ବାଧିକ ମାସିକ ଜରିମାନା ୨.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଜରିମାନା ରାଶି ମାସିକ/ତ୍ରୈମାସିକ ଭୁଗତାନରୁ କାଟି ନିଆଯିବ। NHAI ସମସ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଆଞ୍ଚଳିକ ଅଧିକାରୀମାନଙ୍କୁ ଏହି ଦିଗଦର୍ଶନଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି।