ନୂଆଦିଲ୍ଲୀ: ନିଟ୍ ପେପର୍ ଲିକ୍ ଓ ଜନ୍ତରମନ୍ତରରେ ଆନ୍ଦୋଳନରତ ଛାତ୍ରଙ୍କ ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସଂସଦରେ ଉତ୍ତର ରଖିବେ । ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ । ଏବେ ବିରୋଧୀ ଦଳ ନିଷ୍ପତ୍ତି ନେବେ ଏ ପ୍ରସଙ୍ଗରେ ଆଲୋଚନା କରିବେ କିମ୍ବା ହଙ୍ଗାମା କରିବେ । ଆଜି ଆଲୋଚନା ପୂର୍ବରୁ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଶାହ ।
କେନ୍ଦ୍ର ଗୃହ ମନ୍ତ୍ରୀ ଗଣମାଧ୍ୟମ ସହିତ ଆଲୋଚନା ବେଳେ କହିଛନ୍ତି ଯେ ଲାପତା (ନିଖୋଜ), ଭାଗ୍ ଗୟେ (ପଳାଇ ଗଲେ), ଭଗୋଡ଼େ ହେଁ (ପଳାତକ) ଏଭଳି ଶବ୍ଦ ସାଧାରଣ ଜୀବନ ଓ ସଂସଦୀୟ ପୃଷ୍ଠଭୂମିରେ ଗ୍ରହଣୀୟ ନୁହେଁ । କାରଣ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଲଗାତର ସେ ସଂସଦକୁ ଆସୁଛନ୍ତି ନିଜ କାର୍ଯ୍ୟାଳୟରେ ବସୁଛନ୍ତି । କିନ୍ତୁ ବିରୋଧୀ ଦଳ ସଂସଦର ଉଭୟ ଗୃହକାର୍ଯ୍ୟକୁ ବିଲୁକୁଲ ଚାଲିବାକୁ ଦେଲେ ନାହିଁ । ଆରମ୍ଭରୁ ହିଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସ୍ପଷ୍ଟ କରିଥିଲେ ଯେ ନିଟ୍ ପ୍ରଶ୍ନ ପତ୍ର ଲିକ୍ ଏବଂ ଛାତ୍ର ଆନ୍ଦୋଳନ ଉପରେ ସରକାର ସମସ୍ତ ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତ । ତାଙ୍କର ଏହି ଦାବିକୁ ଆମେ ଗ୍ରହଣ କରିଛୁ । କିନ୍ତୁ ଏହା ପରେ ସେମାନେ ଆଲୋଚନା କରିବାକୁ ଦେଲେ ନାହିଁ । ଏବେ ସେମାନେ ରାଜି ହୋଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶାହ ବିରୋଧୀଙ୍କୁ ଆହ୍ୱାନ କରିଛନ୍ତି ଯେ ବିରୋଧୀଙ୍କୁ କଣ ଜବାବ ଦରକାର ସବୁକିଛି ଲେଖିଛି ବାଚସ୍ପତିଙ୍କୁ ଲିଖିତ ଆକାରରେ ଦିଅନ୍ତୁ । ସେ ନିଜେ ସବୁ ପ୍ରଶ୍ନର ଉତ୍ତର ଦେବେ । ଆଜି ଅପରାହ୍ନ ୩ଟାରୁ ବିଳମ୍ବିତ ରାତି (ଯେତେବେଳେ ଯାଏ ବିରୋଧୀ ବସିବେ) ଏବଂ ଆସନ୍ତାକାଲି ଅପରାହ୍ନ ୩ଟା ଯାଏ ସମସ୍ତ ପ୍ରକାର ଚର୍ଚ୍ଚା ପାଇଁ ପ୍ରସ୍ତୁତ । ଫଳରେ ଦେଶର ଜନତାଙ୍କ ସମ୍ମୁଖରେ ସବୁ କିଛି ସ୍ପଷ୍ଟ ହୋଇଯିବ । ସଂସଦରେ ଚର୍ଚ୍ଚା ପାଇଁ ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି । କିନ୍ତୁ ଏମାନେ ଲିଖିତ ଆକାରରେ ଜବାବ ନେବାକୁ ଚାହୁଁଛନ୍ତି । ଏଭଳି ସମ୍ବେଦନଶୀଳ ମାମଲାରେ ଗୋଟିଏ ଧାଡ଼ିରେ ଲେଖିକି କିପରି ଦିଆଯିବ ବୋଲି ଶାହ ପ୍ରଶ୍ନ କରିଛନ୍ତି । ଏବେ ବିରୋଧୀଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ସେମାନେ ଆଲୋଚନା କରିବେ କିମ୍ବା ହଙ୍ଗାମା କରିବେ ।
ଶାହଙ୍କ ପ୍ରତିକ୍ରିୟାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାଲଟା ଜବାବ ରଖିଛନ୍ତି । ରାହୁଲ କହିଛନ୍ତି ଯେ ଆମକୁ ଅମିତ ଶାହଙ୍କ କାଳ୍ପନିକ ଭାଷଣ ଶୁଣିବାକୁ ଇଚ୍ଛା ନାହିଁ । କାହା ନିର୍ଦ୍ଦେଶରେ ଛାତ୍ରଙ୍କ ଉପରେ ଗୁଳି ଚଳାଇବାକୁ କିଏ ନିର୍ଦ୍ଦେଶ ଦେଇଥିଲା ଖାଲି ତାହାର ଜବାବ ଦିଅନ୍ତୁ ବୋଲି ରାହୁଲ କହିଛନ୍ତି ।