ବାଲେଶ୍ୱର: ଜମି ମ୍ୟୁଟେସନ୍ କରିବା ପାଇଁ ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା। ଭିଜିଲାନ୍ସ ଜାଲରେ ପଡ଼ିଲେ ରେଭେନ୍ୟୁ ଇନ୍ସପେକ୍ଟର (RI)। ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ତୁଡ଼ିଗଡ଼ିଆ ରାଜସ୍ୱ ନିରୀକ୍ଷକ ଶରତ କୁମାର ସେଠୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଧରିଛି।
ସୂଚନା ଅନୁସାରେ, ଅଭିଯୋଗକାରୀ ତାଙ୍କ ପୈତୃକ ଜମିର ମ୍ୟୁଟେସନ୍ କରି ତାଙ୍କ ଜେଜେବାପାଙ୍କ ନାଁରେ Record of Rights (ROR) ପାଇଁ ଆବେଦନ କରିଥିଲେ। ତେବେ ଏହି ପ୍ରକ୍ରିୟାକୁ ରେଭିନ୍ୟୁ ଇନ୍ସପେକ୍ଟର ଜଣକ ବିଳମ୍ବ କରୁଥିବା ଅଭିଯୋଗ ହୋଇଥିଲା। ପରେ ମ୍ୟୁଟେସନ୍ ମାମଲାରେ ସପକ୍ଷରେ ଫିଲ୍ଡ ଇନକ୍ୱାରୀ ରିପୋର୍ଟ ଦେବା ଏବଂ ROR ପ୍ରଦାନ ପ୍ରକ୍ରିୟାକୁ ସହଜ କରିବା ପାଇଁ ଶରତ କୁମାର ସେଠୀ ଅଭିଯୋଗକାରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଲାଞ୍ଚ ଦେବାକୁ ଅନିଚ୍ଛୁକ ଅଭିଯୋଗକାରୀ ଏନେଇ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଟ୍ରାପ୍ କରାଯାଇଥିଲା।
ବୁଧବାର ତୁଡ଼ିଗଡ଼ିଆ RI ଅଫିସ୍ରେ ଶରତ କୁମାର ସେଠୀ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ହାତେ ନାତେ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୫ ହଜାର ଟଙ୍କା ଜବତ କରାଯାଇଛି। ଏହାପରେ ତାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି (DA) ଦିଗକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ଶରତ କୁମାର ସେଠୀଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ Prevention of Corruption (Amendment) Act, 2018ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।