ଭୁବନେଶ୍ୱର: ଲଗାତାର ବର୍ଷା ଓ ବନ୍ୟାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତ ୧୫ ଦିନରେ ଓଡ଼ିଶାର ୨୪ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଏବେ ସରକାର ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ଜୋରଦାର କରିଛନ୍ତି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ଏପର୍ଯ୍ୟନ୍ତ ୧୩୬ କୋଟି ଟଙ୍କା ଜାରି କରାଯାଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା ରିଲିଫ୍ ପାଇଁ ଦିଆଯାଇଥିଲା। ଏଥିରେ ବାଲେଶ୍ୱରକୁ ୨୨ କୋଟି, ଯାଜପୁର ଓ ଭଦ୍ରକକୁ ୨୦ କୋଟି ଲେଖାଏଁ ଏବଂ ସୁନ୍ଦରଗଡ଼, ରାୟଗଡ଼ା ଓ ମାଲକାନଗିରିକୁ ୧ କୋଟି ଲେଖାଏଁ ଦିଆଯାଇଥିଲା। ପରେ ଆଉ ୨୬ କୋଟି ଟଙ୍କା ଅତିରିକ୍ତ ଭାବେ ଜାରି ହୋଇଛି।
ଏହି ବନ୍ୟାରେ ୨୪ଟି ଜିଲ୍ଲାର ୧୫୪ଟି ବ୍ଲକ୍, ୮୭୯ଟି ଗ୍ରାମ ପଞ୍ଚାୟତ ଓ ୨,୮୫୫ଟି ଗାଁ ପ୍ରଭାବିତ ହୋଇଛି। ସହରାଞ୍ଚଳର ୨୦୯ଟି ୱାର୍ଡ ମଧ୍ୟ ବନ୍ୟାର ଶିକାର ହୋଇଥିବା ବେଳେ ପ୍ରାୟ ୧୩ ଲକ୍ଷ ୭୧ ହଜାର ୩୩୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୩୬୬ଟି ଗାଁରୁ ୭ ଲକ୍ଷ ୨୨ ହଜାର ୭୩୨ ଜଣଙ୍କୁ ପର୍ଯ୍ୟାୟକ୍ରମେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୭୮୩ଟି ରିଲିଫ୍ କ୍ୟାମ୍ପରେ ୭ ଲକ୍ଷ ୨୬ ହଜାର ୪୪୧ ଜଣଙ୍କୁ ସହାୟତା ଦିଆଯାଇଛି।
୫,୦୪୪ ଘର କ୍ଷତିଗ୍ରସ୍ତ
ବନ୍ୟାରେ ଏପର୍ଯ୍ୟନ୍ତ ୫,୦୪୪ଟି ଘର କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ମିଳିଛି। ଏହାସହ ୭୯ ହଜାର ୮୨୪ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ତେବେ ସମସ୍ତ ଜିଲ୍ଲାରୁ ସମ୍ପୂର୍ଣ୍ଣ ରିପୋର୍ଟ ଆସିନଥିବାରୁ ଚୂଡ଼ାନ୍ତ କ୍ଷୟକ୍ଷତିର ପରିମାଣ ଆହୁରି ବଢ଼ିପାରେ।
ବନ୍ୟା ପ୍ରଭାବିତଙ୍କୁ ୯୦.୫ କ୍ୱିଣ୍ଟାଲ ଚାଉଳ, ୨,୬୯୨ କ୍ୱିଣ୍ଟାଲ ଚୁଡ଼ା ଓ ୩୫୬.୩ କ୍ୱିଣ୍ଟାଲ ଗୁଡ଼ ଯୋଗାଇ ଦିଆଯାଇଛି। ଏହାସହ ୮,୭୦୮ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି। ପଶୁସମ୍ପଦ ପାଇଁ ୧,୭୨୯ ମେଟ୍ରିକ୍ ଟନ୍ ପଶୁ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି।
ଚାଷୀଙ୍କ ପାଇଁ ଆସୁଛି ସ୍ୱତନ୍ତ୍ର ପ୍ୟାକେଜ୍
ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସ୍ତୁତ କରୁଛନ୍ତି। କୃଷି, ମତ୍ସ୍ୟ ଓ ପଶୁସମ୍ପଦ ଏବଂ ସମବାୟ ବିଭାଗ ମିଳିତ ଭାବେ ଏହି ପ୍ୟାକେଜ୍ ପ୍ରସ୍ତୁତ କରୁଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସ୍ୱଳ୍ପ ମିଆଦି ଧାନ ବିହନ ସହ ପନିପରିବା ଚାଷ ପାଇଁ ମଧ୍ୟ ଅତିରିକ୍ତ ସହାୟତା ଦିଆଯିବ।ସେପଟେ ଉଦ୍ଧାର ଓ ଜରୁରୀକାଳୀନ କାର୍ଯ୍ୟରେ ୧୮ଟି ODRAF, ୭ଟି NDRF ଓ ୧୪୦ଟି ଅଗ୍ନିଶମ ଟିମ୍ ନିୟୋଜିତ ଅଛନ୍ତି।
ମନ୍ତ୍ରୀ କହିଛନ୍ତି, ଯେଉଁ ପରିବାରର ଘର କ୍ଷତିଗ୍ରସ୍ତ ହୋଇଛି କିନ୍ତୁ ତାଲିକାରୁ ବାଦ୍ ପଡ଼ିଛନ୍ତି, ସେମାନେ ନିକଟସ୍ଥ RI, ପଞ୍ଚାୟତ, ତହସିଲ କିମ୍ବା BDO କାର୍ଯ୍ୟାଳୟରେ ଜଣାଇପାରିବେ। ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଦିଆଯିବ। ବନ୍ୟାର କ୍ଷତ ଭରିବାକୁ ୧୩୬ କୋଟିର ସହାୟତା, ଚାଷୀଙ୍କ ପାଇଁ ଆସୁଛି ସ୍ୱତନ୍ତ୍ର ପ୍ୟାକେଜ୍ ଏବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟକୁ ଅପେକ୍ଷା।