ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାରେ ସଫଳତା ଅପେକ୍ଷାରେ ଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆଜି ପ୍ରକାଶ ପାଇବ Supplementary High School Certificate (SHSC) 2026 ଏବଂ State Open School Certificate Examination (SOSC) 2026 (2nd) ରେଜଲ୍ଟ। ଏନେଇ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (BSE), ଓଡ଼ିଶା ପକ୍ଷରୁ ଅଫିସିଆଲ୍ ଘୋଷଣା କରାଯାଇଛି।
ବୋର୍ଡର ସୂଚନା ଅନୁସାରେ, ଆଜି ଅପରାହ୍ନ ୪ଟା ୩୦ରେ ଦୁଇଟି ପରୀକ୍ଷାର ଫଳାଫଳ ଘୋଷଣା ହେବ। ତେବେ ଛାତ୍ରଛାତ୍ରୀମାନେ ସନ୍ଧ୍ୟା ୫ଟା ପରଠାରୁ ଅନଲାଇନ୍ରେ ନିଜ ରେଜଲ୍ଟ ଦେଖିପାରିବେ।
ରେଜଲ୍ଟ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ BSE ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍କୁ ଯାଇ ନିଜ ରୋଲ୍ ନମ୍ବର ଦେଇ ଫଳାଫଳ ଯାଞ୍ଚ କରିପାରିବେ। ୱେବସାଇଟ୍ରେ ରେଜଲ୍ଟ ଲିଙ୍କ୍ ଆକ୍ଟିଭ୍ ହେବା ପରେ ସେଠାରୁ ମାର୍କସିଟ୍ ମଧ୍ୟ ଦେଖିପାରିବେ।
SMSରେ ବି ଜାଣିପାରିବେ ରେଜଲ୍ଟ
ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେମାନଙ୍କ ପାଇଁ ମଧ୍ୟ ବୋର୍ଡ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଛି। SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିହେବ। ଏଥିପାଇଁ ମୋବାଇଲ୍ର ମେସେଜ୍ ବକ୍ସରେ OR10<RollNo> ଟାଇପ୍ କରି 5676750 ନମ୍ବରକୁ ପଠାଇବାକୁ ପଡ଼ିବ। ଏହାପରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ SMS ମାଧ୍ୟମରେ ମିଳିପାରିବ।
ଅଗଷ୍ଟ ୧୭ରୁ ଡିଜିଟାଲ୍ ସାର୍ଟିଫିକେଟ୍
କେବଳ ରେଜଲ୍ଟ ନୁହେଁ, ସଫଳ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ୍ ସାର୍ଟିଫିକେଟ୍ର ବ୍ୟବସ୍ଥା ମଧ୍ୟ ରହିଛି। ଅଗଷ୍ଟ ୧୭, ୨୦୨୬ରୁ ସଫଳ ପରୀକ୍ଷାର୍ଥୀମାନେ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ। ରେଜଲ୍ଟ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ନିଜର ନାମ, ରୋଲ୍ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଭଲ ଭାବେ ଯାଞ୍ଚ କରିବା ସହ ଭବିଷ୍ୟତ ପାଇଁ ଡିଜିଟାଲ୍ କପି ସୁରକ୍ଷିତ ରଖିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।