ଭୁବନେଶ୍ୱର: ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୬ ବର୍ଷ ବୟସରେ ସେ ପ୍ରାଣ ତ୍ୟାଗ କରିଛନ୍ତି । ବୟସାଧିକ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।
୩୧ ମାର୍ଚ୍ଚ, ୧୯୪୦ ମସିହାର ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନଳିଲୋ ଗ୍ରାମରେ ଜଗଦୀଶ ଚନ୍ଦ୍ର କାନୁନଗୋ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୌରୀଚରଣ କାନୁନଗୋ ଏବଂ ମାଆ ମାଳତୀ ଦେବୀ । ପିଲାଟି ଦିନରୁ ଜଗଦୀଶଙ୍କର କଳା ପ୍ରତି ଭଲ ପାଇବା ଥିଲା । ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ, ଘରେ ଲାଗିଥିବା ଚିତ୍ର କଳା ଏବଂ ମାଆଙ୍କ ଝୋଟି ଚିତାକୁ ଦେଖି ଚିତ୍ର ପ୍ରତି ତାଙ୍କର ଆଦର ଆହୁରି ବଢ଼ିଯାଇଥିଲା । ପିଲାଦିନେ ପ୍ରକୃତିର ସୌଦର୍ଯ୍ୟକୁ ସେ ନିଜର ପେନସିଲ୍ ଓ କଲମ ମୁନରେ ଆଙ୍କୁଥିଲେ । ଶେଷରେ ସେହି ପେନସିଲ୍ ଓ ତୂଳୀକୁ ନିଜ ଜୀବନର ସାଥୀ କରିଦେଇଥିଲେ ।
ବାଲିକୁଦାରେ ବିଦ୍ୟାଳୟ ଶିକ୍ଷା ଏବଂ ଇଣ୍ଟର ମିଡିଏଟରେ ପ୍ରଥମ ଶ୍ରେଣୀରେ ପାସ୍ କରିବା ପରେ ଖଲିକୋଟ କଲେଜରେ ବାଣିଜ୍ୟିକ କଳାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ତାଙ୍କ ବାପା ଗୌରୀଶଙ୍କର, ଚିତ୍ର ଶିଳ୍ପୀ ବିଭୂତି କାନୁନଗୋ ଓ ଉପେନ୍ଦ୍ର କିଶୋରଙ୍କ ପ୍ରେରଣାରେ ସେ କର୍ମିସିଆଲ୍ ଆର୍ଟରେ ପାଠ ପଢ଼ିଥିଲେ । ଏହା ପରେ ସେ ଅନେକ ଏକକ ଚିତ୍ରକଳା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଅନେକ ସୁନାମ ଅର୍ଜନ କରିଥିଲେ । ସେହିପରି ଶିଶୁ ଲେଖା ଏବଂ ସରକାରୀ ସ୍ୱାସ୍ଥ୍ୟ ବିଭାଗରେ ଚିତ୍ର ଆଙ୍କୁଥିଲେ ।
ଓଡ଼ିଶାର କଳା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ଜଗଦୀଶ ଚନ୍ଦ୍ର ଓଡ଼ିଶା ଲଳିତ କଳା ଏକାଡେମୀ ପୂର୍ବତନ ସଭାପତି ଥିଲେ । ଏକାଡେମୀର ସଚିବ ଭାବେ ୧୬ ବର୍ଷ କାର୍ଯ୍ୟ କରିଛନ୍ତି । ତାଙ୍କ ପ୍ରଚେଷ୍ଟାରେ ଓଡ଼ିଶା ସରକାରଙ୍କ ସହଭାଗିତାରେ ଭୁବନେଶ୍ୱରରେ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ର ସ୍ଥାପନ କରାଯାଇଥିଲା । କେନ୍ଦ୍ର ସରକାର ତାଙ୍କୁ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରର ପ୍ରତିଷ୍ଠାତା ଆଞ୍ଚଳିକ ସଚିବ ଭାବରେ ନିଯୁକ୍ତ କରିଥିଲେ ।
ଜଗଦୀଶ ତାଙ୍କର କଳାକୃତି ପାଇଁ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ମଧ୍ୟ ଧର୍ମପଦ ସମ୍ମାନର ଅଧିକାରୀ ଅଟନ୍ତି ।