କପିଳାସ: ଗୋଟିଏ ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ମାମଲା ପହଁଚିଥିବାବେଳେ ଏପଟେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ବରିଷ୍ଠ ଆଇପିଏସ୍ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ପାଇଁ କପିଳାସପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି ।
୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ବର୍ତ୍ତମାନ ଅଗ୍ନିଶମ ସେବା ଓ ହୋମଗାର୍ଡ ବିଭାଗର ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ନୂତନ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଅବସ୍ଥାପିତ କରିବା ପାଇଁ କପିଳାସ ସୁରକ୍ଷା ପରିଷଦ ଓ ସେବାୟତ ସଂଘ ପକ୍ଷରୁ କଳିଳାସଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ସେବାୟତମାନଙ୍କ ପକ୍ଷରୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରାଯାଇ ଡଃ ଷଡ଼ଙ୍ଗୀଙ୍କ ପାଇଁ ପ୍ରାର୍ଥନା କରାଯାଇଛି । ଶ୍ରୀଜୀଉଙ୍କୁ ଜଳଲାଗି କରାଯାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ସୁସ୍ଥତା ଓ ରାଜ୍ୟର ସେବାରେ ଆହୁରି ଉଚ୍ଚ ଦାୟିତ୍ୱ ପାଇବା ପାଇଁ କାମନା କରାଯାଇଛି ।
ଡଃ ସୁଧାଂଶୁ ଷଡ଼ଙ୍ଗୀ ଢେଙ୍କାନାଳ ଜିଲ୍ଲାର ମୂଳ ବାସିନ୍ଦା ଅଟନ୍ତି । ସେ ଜଣେ ଦକ୍ଷ, ଅଭିଜ୍ଞ ଓ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀ ଭାବେ ଦୀର୍ଘଦିନ ଧରି ରାଜ୍ୟ ଓ ଦେଶର ସେବା କରିଆସୁଛନ୍ତି। ତାଙ୍କର ପ୍ରଶାସନିକ ଦକ୍ଷତା, ନେତୃତ୍ୱ ଗୁଣ, ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳତା ଓ କର୍ତ୍ତବ୍ୟ ପ୍ରତି ନିଷ୍ଠା ତାଙ୍କୁ ଜଣେ ବିଶିଷ୍ଟ ଅଧିକାରୀ ଭାବେ ପରିଚିତ କରିଛି।
ଢେଙ୍କାନାଳ ଜିଲ୍ଲାର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ତାଙ୍କର ଏଭଳି ଉଚ୍ଚ ଦାୟିତ୍ୱରେ ଅବସ୍ଥାପନ ଢେଙ୍କାନାଳବାସୀ ଓ ସାରା ଓଡ଼ିଶା ବାସୀ ଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ ବୋଲି କପିଳାସ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।