ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ହାତୀଙ୍କ ସୁରକ୍ଷା ପାଇଁ ପାଳନ କରାଯାଇଥାଏ ଏହି ଦିନ । ମାନବ-ହାତୀଙ୍କ ସହବସ୍ଥାନକୁ ଆହୁରି ସୁଦୃଢ଼ କରି ହାତୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ ହାତୀ ଆମ ପ୍ରାକୃତିକ ପରିବେଶ, ଜୈବ ବିବିଧତା ଏବଂ ଗୌରବମୟ ସଂସ୍କୃତିର ଅନନ୍ୟ ପ୍ରତୀକ। ମହାପ୍ରଭୁଙ୍କ ହାତୀ ବେଶଠାରୁ ଆରମ୍ଭ କରି ମନ୍ଦିର ଗାତ୍ରର ସ୍ଥାପତ୍ୟ ଏବଂ ଆମର ସମୃଦ୍ଧ ଇତିହାସ ପର୍ଯ୍ୟନ୍ତ, ଗଜରାଜ ସଦାସର୍ବଦା ଓଡ଼ିଶାର ସାଂସ୍କୃତିକ ପରିଚୟ ସହ ନିବିଡ଼ ଭାବେ ଜଡ଼ିତ । ତେଣୁ ବିଶ୍ୱ ହସ୍ତୀ ଦିବସ ଅବସରରେ ହାତୀମାନଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସୁରକ୍ଷିତ ଭବିଷ୍ୟତ ପାଇଁ ସଙ୍କଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ରାଜ୍ୟରେ ମଣିଷ ଓ ହାତୀ ଲଢ଼େଇ କ୍ରମାଗତ ଭାବେ ବୃଦ୍ଧି ପାଇଛି । ଯେଉଁଥିପାଇଁ ରାଜ୍ୟରେ ହାତୀ ଏବେ ସଙ୍କଟ ପରିସ୍ଥିତିରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ଯେ ମାନବ-ହାତୀ ସହବସ୍ଥାନକୁ ଆହୁରି ସୁଦୃଢ଼ କରି ପ୍ରକୃତିର ଏହି ଗୌରବମୟ ସମ୍ପଦର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ।