ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଓ ବ୍ୟାପକତା ବୃଦ୍ଧି ପାଇବ। ପାଣିପାଗ ବିଭାଗର ଆକଳନ ଅନੁଯାୟୀ, ଆସନ୍ତା ୫ରୁ ୬ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଆଜି ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।
ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ପୁରୀ ଏବଂ ଖୋର୍ଦ୍ଧା ଆଦି ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହିପରି ପାଗ ଲାଗିରହିବା ସହ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ ରହିଛି।
ବଜ୍ରପାତ ନେଲା କାଳ: ଦୁଇ ଦିନରେ ୧୦ରୁ ଅଧିକ ମୃତ୍ୟୁ
ବର୍ଷା ସାଙ୍ଗକୁ କାଳବୈଷାଖୀ ଓ ବଜ୍ରପାତ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଘଡ଼ଘଡ଼ିଜନିତ ବଜ୍ରାଘାତରେ ଗତ ଦୁଇ ଦିନ ଭିତରେ ରାଜ୍ୟରେ ୧୦ରୁ ଅଧିକ ମୂଲ୍ୟବାନ ଜୀବନ ଚାଲିଯାଇଛି। ମଙ୍ଗଳବାର କେବଳ ସୁନ୍ଦରଗଡ଼ ଜିଲ୍ଲାରେ ବଜ୍ରପାତ ନେଇଛି ୫ ଜଣଙ୍କ ଜୀବନ। ବାଲିଶଙ୍କରା ବ୍ଲକରୁ ୨ଜଣ ମହିଳା ଏବଂ ବଣାଇରୁ ୨ଜଣ ମହିଳା ବିଲରେ ଧାନତଳି କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ସେହିପରି ନୂଆଗାଁ ବ୍ଲକରେ ଏକ ଗଛମୂଳେ ଆଶ୍ରୟ ନେଇଥିବା ବେଳେ ଜଣେ ଯୁବକ ମଧ୍ୟ ପ୍ରାଣ ହରାଇଛନ୍ତି।
ସେପଟେ ସୋମବାର ଘଟିଥିବା ବଜ୍ରାଘାତ ଦୁର୍ଘଟଣାରେ ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ କଟକ ଜିଲ୍ଲାର ମାହାଙ୍ଗା ଓ ଚୌଦ୍ୱାର ଅଞ୍ଚଳରୁ ୨ଜଣ, ମୟୂରଭଞ୍ଜରୁ ୨ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।