ନୟାଗଡ଼ : ପୁଣି ଥରେ ଭୁଲ ଇଞ୍ଜେକ୍ସନ ନେଲା ଜୀବନ। ଏଭଳି ଏକ ସଂଗୀନ ଅଭିଯୋଗ ନୟାଗଡ଼ଜିଲ୍ଲା ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି। ଭୁଲ ଇଞ୍ଜେକ୍ସନ ଦେବାରୁ ଜଣେ ୧୮ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ମୃତ ଛାତ୍ରୀ ଜଣକ ହେଲେ ଭାପୁର ବ୍ଲକ ଗୋଳାପୋଖରୀ ଗ୍ରାମର ଗୋପାଳ ଚନ୍ଦ୍ର ବେହେରାଙ୍କ ଝିଅ ସନ୍ତୋଷୀ ବେହେରା।
ପରିବାର ଲୋକଙ୍କ କହିବା ଅନୁସାରେ , ଗତକାଲି (ସୋମବାର) ସନ୍ତୋଷୀଙ୍କୁ ଜ୍ୱର ହୋଇଥିଲା। ଆଜି ସକାଳେ ଚିକିତ୍ସା ପାଇଁ ତାଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଚିକିତ୍ସା ସମୟରେ ତାଙ୍କୁ ଡିଉଟି ଥିବା ଡାକ୍ତର ଇଞ୍ଜେକ୍ସନ ଦେଇଥିଲେ। ତେବେ ଇଞ୍ଜେକ୍ସନ ଦେବା ପରେ ହଠାତ୍ ସନ୍ତୋଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର।
ତେବେ ଇଞ୍ଜେକ୍ସନ ଯୋଗୁଁ ହିଁ ଛାତ୍ରୀଙ୍କ ମୃତ୍ୟୁ ହୋଇଛି କି ଅନ୍ୟ କୌଣସି କାରଣରୁ ହୋଇଛି ତାହା ତଦନ୍ତ ଓ ମେଡିକାଲ ରିପୋର୍ଟ ପରେ ସ୍ପଷ୍ଟ ହେବ। ଏଭଳି ଘଟଣାକୁ ନେଇ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତେଜନା ପରିସ୍ଥିତି ଲାଗିରହିଥିଲା। ଘଟଣା ସ୍ଥଳରେ ଖଣ୍ଡପଡ଼ା ଏସଡିପିଓ ସରୋଜ ସାହୁ, ଫତେଗଡ ଥାନା ଅଧିକାରୀ ଅଜୟ ସାହୁ ପହଞ୍ଚି ବୁଝାସୁଝା କରିଥିଲେ ।
ଏହା ପ୍ରଥମ ଘଟଣା ନୁହେଁ ଗତ ସପ୍ତାହ ତଳେ ସମାନ ଘଟଣା ରାୟଗଡ଼ାରେ ଘଟିଥିଲା। ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଜଣେ ମହିଳାଙ୍କ ଜୀବନ ଯାଇଥିଲା।