ଭୁବନେଶ୍ୱର: ଅଙ୍ଗନବାଡ଼ି କେନ୍ଦ୍ରର ସେବାକୁ ଆହୁରି ଡିଜିଟାଲ ଓ ସ୍ମାର୍ଟ କରିବା ଦିଗରେ ବଡ଼ ପଦକ୍ଷେପ। ରାଜ୍ୟର ସମସ୍ତ ୭୩,୫୪୩ ଜଣ ଅଙ୍ଗନବାଡ଼ି କର୍ମୀ (AWW)ଙ୍କୁ ‘ପୋଷଣ ଟ୍ରାକର’ ପୋର୍ଟାଲର ବିଭିନ୍ନ ମଡ୍ୟୁଲ ଉପରେ ତାଲିମ ଦିଆଯାଇଛି। ବୁଧବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର।
ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ଡିଜିଟାଲ ଇଣ୍ଡିଆ କର୍ପୋରେସନ୍ (DIC)ର ସୂଚନା ଅନୁସାରେ ଓଡ଼ିଶାର ସମସ୍ତ ଅଙ୍ଗନବାଡ଼ି କର୍ମୀ ପୋଷଣ ଟ୍ରାକରର ବିଭିନ୍ନ ବ୍ୟବହାରିକ ମଡ୍ୟୁଲ ଉପରେ ପ୍ରଶିକ୍ଷଣ ନେଇଛନ୍ତି।
କ’ଣ କାମ କରିବ ପୋଷଣ ଟ୍ରାକର?
‘ମିଶନ ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ୨.୦’ ଅଧୀନରେ ଏହା ଏକ ICT ଭିତ୍ତିକ ଇ-ଗଭର୍ଣ୍ଣାନ୍ସ ଟୁଲ୍। ଏହା ମାଧ୍ୟମରେ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କ ତଥ୍ୟ ଡିଜିଟାଲ ଭାବେ ସଂରକ୍ଷଣ କରିପାରିବେ।
ଏହା ସହିତ ଶିଶୁଙ୍କ ପୋଷଣ, ବୃଦ୍ଧି, ଶିଶୁ ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା (ECCE) ସେବାର ମନିଟରିଂ କରାଯାଇପାରିବ। ରିଅଲ୍-ଟାଇମ୍ ଡାଟା ଆଧାରରେ ସେବାରେ ଆବଶ୍ୟକ ସୁଧାର ମଧ୍ୟ ଅଣାଯାଇପାରିବ।
ପ୍ରତିଦିନ ହେଉଛି ଡିଜିଟାଲ ଟ୍ରେନିଂ
ଜିଲ୍ଲା ଓ ବ୍ଲକ୍ ସ୍ତରର ସଂଯୋଜକଙ୍କ ମାଧ୍ୟମରେ DIC ପକ୍ଷରୁ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଉଛି। ଏହା ବ୍ୟତୀତ ସୋମବାରରୁ ଶୁକ୍ରବାର ପ୍ରତିଦିନ ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଙ୍ଗନବାଡ଼ି କର୍ମୀଙ୍କ ଡିଜିଟାଲ ଦକ୍ଷତା ବଢ଼ାଯାଉଛି।
ଏପଟେ ରାଜ୍ୟ ସରକାରଙ୍କ ‘State Support to ICDS Training’ ଅଧୀନରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ୩୨ ଦିନିଆ ଚାକିରିଭିତ୍ତିକ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ଏଥିରେ ୬ ଘଣ୍ଟିଆ ଡିଜିଟାଲ ଲିଟରେସି ଟ୍ରେନିଂ ସାମିଲ ରହିଛି। ପୋଷଣରୁ ଶିଶୁ ଶିକ୍ଷା ଯାଏଁ, ଏଣିକି ଟେକ୍ନୋଲୋଜି ସହ ଅଙ୍ଗନବାଡ଼ି ସେବାକୁ ଆହୁରି ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।