ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୭ ତାରିଖ ସୁଦ୍ଧା ସରିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯାଞ୍ଚ ପ୍ରକ୍ରିୟା ଶେଷ ହେବ । ଆସନ୍ତା ସେପ୍ଟେମ୍ବର ମାସରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଓଡ଼ିଶା ଆସି ହିତାଧିକାରୀଙ୍କୁ ଘର ବାଣ୍ଟିବେ ବୋଲି ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।
ମନ୍ତ୍ରୀ କହିଛନ୍ତି ଅଗଷ୍ଟ ୨୭ ତାରିଖ ସୁଦ୍ଧା ପିଏମଏୱାଇ ଯାଞ୍ଚ ପ୍ରକ୍ରିୟା ଶେଷ ହେବ । ବର୍ତ୍ତମାନ ସୁଦ୍ଧାରେ ଯୋଜନାରେ ୩୮ ଲକ୍ଷ ହିତାଧିକାରୀ ପଞ୍ଜୀକୃତ ହୋଇଥିବାବେଳେ ୩୧ ଲକ୍ଷ ତାଲିକା ଚୂଡ଼ାନ୍ତ ହୋଇଛି । ସେପ୍ଟେମ୍ବରରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ହିତାଧିକାରୀଙ୍କୁ ନୂତନ ଗୃହ ବାଣ୍ଟିବେ । ଲୋକଙ୍କୁ କିପରି ଘର ବଣ୍ଟନ କରାଯିବ ସେଥିପାଇଁ ଆଲୋଚନା ଜାରି ରହିଛି ।
ସେହିପରି ଅନ୍ତଦ୍ୟୋୟ ଗୃହ ଯୋଜନାରେ ୨ ଲକ୍ଷ ୬୦ ହଜାର ଘର ବଣ୍ଟନ କରାଯାଇଛି । ଆଗାମୀ ଦିନରେ ଆହୁରି ଏକ ଲକ୍ଷ ଘର ଦିଆଯିବ । ନିରପେକ୍ଷ ଭାବେ ସମସ୍ତ ଗରିବ ଲୋକଙ୍କୁ ଘର ଆବଣ୍ଟିତ କରାଯିବ ।
ସେହିପରି ଭିବି-ଜିରାମଜିରେ ଅଧିକରୁ ଅଧିକ ସଂଖ୍ୟାରେ କାମରେ ଯୋଗଦେବା ପାଇଁ ଆଲୋଚନା ହୋଇଛି । ଅଧିକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ମଧ୍ୟ ହେବ । ମନ୍ତ୍ରୀ ପୂର୍ବ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ଗତ ସରକାର ଠିକ୍ ଭାବେ ଜମି ଚିହ୍ନଟ କଲେନି। ତତସହିତ କେନ୍ଦ୍ର ଯୋଜନାକୁ ବାଟ ମାରଣା କରିଲେ । ଆବାସ-୨ରେ ଯେଉଁ ତାଲିକା ଦେବା କଥା ଦେଲେ ନାହିଁ । ଯେଉଁଥିପାଇଁ ଏବେ ବନ୍ୟାରେ ଅଧିକ ଲୋକଙ୍କ ଘର ଭାଙ୍ଗିଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।