ଭୁବନେଶ୍ୱର: ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ଉଲ୍ଲେଖନୀୟ ସେବା, କର୍ତ୍ତବ୍ୟନିଷ୍ଠା ଏବଂ କାର୍ଯ୍ୟଦକ୍ଷତା ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସମ୍ମାନୀତ କରିଛନ୍ତି । ଆଜି ୫୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଡିଜିପି ଡିସ୍କ ପ୍ରଦାନ କରାଯାଇଛି । ଭୁବନେଶ୍ଵରସ୍ଥିତ ପୋଲିସ ଭବନଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରଦକ ପ୍ରାପ୍ତଙ୍କ ମଧ୍ୟରେ ଏସପି, ଏସଡିପିଓ, କ୍ରାଇମବ୍ରାଞ୍ଚ ଡିଆଇଜି, ଏଏସପି, ଡିଏସପି ପ୍ରମୁଖ ସାମିଲ ଅଛନ୍ତି ।
ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସେବା, କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନିମନ୍ତେ ଡିଜିପି ପଦକ ଓ ମାନପତ୍ର ପ୍ରଦାନ କରିଛନ୍ତି । ଏସସିଆରବି ନିର୍ଦ୍ଦେଶକ ଅବିନାଶ କୁମାର, କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର, ବ୍ରହ୍ମପୁର ଏସପି ଡ. ଶ୍ରବଣ ବିବେକ ଏମ, ଅନୁଗୋଳ ଏସପି ରାହୁଲ ଜୈନ, ନୟାଗଡ ଏସପି ଶୁଭେନ୍ଦୁ କୁମାର ପାତ୍ର, ଗଞ୍ଜାମ ଏସପି ହରିଶ ବି. ସି, ଜଗତସିଂପୁର ଏସପି ଅଙ୍କିତ କୁମାର ବର୍ମା, ନବରଙ୍ଗପୁର ଏସପି କାଶ୍ୟପ ପାର୍ଥ ଜଗଦୀଶ, ବୌଦ୍ଧ ଏସପି କୁଳଦୀପ ମୀନା, ଗଜପତି ଆର. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁ ଓ କଳିଙ୍ଗ ନଗର ତୃତୀୟ ଆଇଆରବିନ, କମାଣ୍ଡାଣ୍ଟ ୟାକୁବ ଖାନ ପଦକ ଗ୍ରହଣ କରିଛନ୍ତି । ସେହିପରି ୩ ଜଣ ଅତିରିକ୍ତ ଏସ୍ପି, ୨ ଜଣ ଡେପୁଟି କମାଣ୍ଡାଣ୍ଟ, ୩ ଜଣ ଡିଏସ୍ପି, ଜଣେ ଆସିଣ୍ଟାଣ୍ଟ କମାଣ୍ଡାଣ୍ଟ, ୮ ଜଣ ଇନ୍ସପେକ୍ଟର, ୪ ଜଣ ସବ୍-ଇନ୍ସପେକ୍ଟର, ୪ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର, ୫ ଜଣ ହାବିଲଦାର, ଜଣେ ଡ୍ରାଇଭର ଓ ୧୩ ଜଣ କନଷ୍ଟେବଳ /ଓଏପିଏଫ /ସିପାହୀ ଅନ୍ତର୍ଭୁକ୍ତ ଅଛନ୍ତି ।
କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ୯୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଉପରୋକ୍ତ ଅଧିକାରୀ ଓ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଥିଲା । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା।