ଭୁବନେଶ୍ୱର: ଦେଶପ୍ରେମର ରଙ୍ଗରେ ରଙ୍ଗୀନ ହେବ ଓଡ଼ିଶା। ‘ହର ଘର ତ୍ରିରଙ୍ଗା ୨୦୨୬’ ଅଭିଯାନ ପୂର୍ବରୁ ଓଡ଼ିଶାର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳାମାନେ ହାସଲ କରିଛନ୍ତି ବଡ଼ ସଫଳତା। ଧାର୍ଯ୍ୟ ସମୟସୀମା ମଧ୍ୟରେ ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରି ୧୦୦ ପ୍ରତିଶତ ଲକ୍ଷ୍ୟ ପୂରଣ କରିଛନ୍ତି ମିଶନ ଶକ୍ତି ମହିଳା।
ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏହି ବୃହତ ପତାକା ପ୍ରସ୍ତୁତି ଅଭିଯାନ ଚାଲିଥିଲା। ଏଥିରେ ୧୨୩୫ଟି SHG, ୨୦୧ଟି ପ୍ରଡ୍ୟୁସର ଗ୍ରୁପ୍ ଏବଂ ୧୩୮ଟି ଫେଡେରେସନ୍ ସାମିଲ ହୋଇଥିଲେ। ମୋଟ ୧୬,୧୬୨ ଜଣ SHG ସଦସ୍ୟା ଏହି ଅଭିଯାନରେ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଥିଲେ।
କେବଳ ଜାତୀୟ ପତାକା ପ୍ରସ୍ତୁତି ନୁହେଁ, ଏହି ପଦକ୍ଷେପ ମିଶନ ଶକ୍ତି ମହିଳାଙ୍କ ପାଇଁ ରୋଜଗାର ଓ ଉଦ୍ୟୋଗୀକରଣର ନୂଆ ସୁଯୋଗ ମଧ୍ୟ ସୃଷ୍ଟି କରିଛି। ସାମୂହିକ ଭାବେ ବଡ଼ ପରିମାଣରେ ଉତ୍ପାଦନ କରିବାର ଦକ୍ଷତା ସହ ମହିଳାମାନଙ୍କ ଉଦ୍ୟମୀ ମନୋଭାବ ମଧ୍ୟ ଏହି ଅଭିଯାନରେ ପ୍ରତିଫଳିତ ହୋଇଛି।
ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ୬୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତି ଓଡ଼ିଶା ପାଇଁ ଗର୍ବର ବିଷୟ। ଏହା ସେମାନଙ୍କ ଦେଶପ୍ରେମ, ନିଷ୍ଠା ଓ ଉଦ୍ୟୋଗୀ ମନୋଭାବର ପରିଚୟ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ‘ହର ଘର ତ୍ରିରଙ୍ଗା’ କେବଳ ଜାତୀୟ ପତାକାର ଉତ୍ସବ ନୁହେଁ, ଏହା ରାଷ୍ଟ୍ର ଗଠନରେ ଲୋକଙ୍କ ଭାଗିଦାରିର ପ୍ରତୀକ। ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ଓଡ଼ିଶାର ବିକାଶ ସହ ନିଜ ଜୀବିକାକୁ ମଧ୍ୟ ମଜବୁତ କରୁଛନ୍ତି।
୬୦ ଲକ୍ଷ ପତାକା ପ୍ରସ୍ତୁତିର ୧୦୦ ପ୍ରତିଶତ ଲକ୍ଷ୍ୟ ପୂରଣ ମହିଳା ସଶକ୍ତୀକରଣ ସହ ରାଷ୍ଟ୍ର ଗଠନରେ ଓଡ଼ିଶାର ମହିଳାଙ୍କ ଅବଦାନକୁ ଆହୁରି ମଜବୁତ କରିଛି।