ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଗାଁ ନିକଟ ଜଙ୍ଗଲରେ ଘଟିଛି ରୋମାଞ୍ଚକର ଘଟଣା। ଏକ ଖାଲ ଭିତରେ ଫସିଯାଇଥିବା ହାତୀ ଛୁଆକୁ ଦୀର୍ଘ ୬ ଘଣ୍ଟାର କସରତ ପରେ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବନବିଭାଗ।
ସୂଚନା ଅନୁସାରେ, ଆଜି ଭୋରୁ ଜଙ୍ଗଲ ନିକଟସ୍ଥ ଏକ ଖାଲରେ ଗଳିପଡ଼ିଥିଲା ହାତୀ ଶାବକ। ଛୁଆଟି ଖାଲ ଭିତରୁ ବାହାରି ନପାରିବାରୁ ତା’ର ମା’ ହାତୀ ମଧ୍ୟ ନିକଟରେ ରହି ତାକୁ ଜଗିଥିଲା। ଫଳରେ ଉଦ୍ଧାରକାର୍ଯ୍ୟ ବନବିଭାଗ ପାଇଁ ଆହୁରି ଚ୍ୟାଲେଞ୍ଜିଂ ହୋଇଥିଲା।
ଖବର ପାଇ ବନବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଖାଲର ଗଭୀରତା ଏବଂ ନିକଟରେ ମା’ ହାତୀ ରହିଥିବାରୁ ଉଦ୍ଧାରକାର୍ଯ୍ୟ ସହଜ ହୋଇନଥିଲା। ତଥାପି ବନବିଭାଗ କର୍ମଚାରୀମାନେ ହାର ନମାନି ଲଗାତାର ଉଦ୍ୟମ ଜାରି ରଖିଥିଲେ।
ଶେଷରେ ପ୍ରାୟ ୬ ଘଣ୍ଟାର ଅପରେସନ୍ ପରେ ହାତୀ ଛୁଆକୁ ଖାଲ ଭିତରୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଉଦ୍ଧାର ପରେ ଛୁଆଟି ମା’ ହାତୀ ସହ ମିଶିଥିବା ଜଣାପଡ଼ିଛି। ଘଟଣାଟି ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।