ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ଓ ଭିତ୍ତିଭୂମି ବିକାଶକୁ ନେଇ ବଡ଼ ଆଲୋଚନା। ଓଡ଼ିଶା ଗସ୍ତରେ ଆସି କରଣ ଆଦାନୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାରରେ ଓଡ଼ିଶାରେ ଶିଳ୍ପ ସହଯୋଗ ଓ ଭିତ୍ତିଭୂମି ବିକାଶର ବିଭିନ୍ନ ସମ୍ଭାବନା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ବୈଠକରେ ବନ୍ଦର ଆଧୁନିକୀକରଣ, ଲଜିଷ୍ଟିକ୍ସ ସଂଯୋଗ ଏବଂ ଅକ୍ଷୟ ଶକ୍ତି ପ୍ରକଳ୍ପ ଭଳି ବିଷୟ ପ୍ରମୁଖତା ପାଇଥିଲା। ଓଡ଼ିଶାରେ ସ୍ଥାୟୀ ଶିଳ୍ପ ବିକାଶ ସହ ରୋଜଗାର ସୃଷ୍ଟି ଓ ଉପକୂଳ ବାଣିଜ୍ୟକୁ ମଜବୁତ କରୁଥିବା ପ୍ରକଳ୍ପକୁ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନ ଦେଇଥିବା ସୂଚନା ମିଳିଛି।
ବିଶେଷକରି ଧାମରା ବନ୍ଦରରେ ଆଦାନୀ ଗ୍ରୁପ୍ର କାର୍ଯ୍ୟକଳାପକୁ ଆହୁରି ବଢ଼ାଇବା ସହ ଓଡ଼ିଶାର ଖଣିଜ ଓ ଉପକୂଳ ଅଞ୍ଚଳକୁ ନେଇ ନୂଆ ନିବେଶ କରିଡର ଖୋଜିବା ନେଇ ଆଗ୍ରହ ପ୍ରକାଶ ପାଇଥିବା ଜଣାପଡ଼ିଛି।
ଏହାଛଡ଼ା ଦକ୍ଷତା ବିକାଶ ଏବଂ CSR ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ସହଭାଗିତା ଭଳି ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ଏହି ସାକ୍ଷାତକାର ଓଡ଼ିଶାରେ ଶିଳ୍ପ ନିବେଶର ବଢ଼ୁଥିବା ସମ୍ଭାବନା ଏବଂ ଶିଳ୍ପ ସହ ସରକାରଙ୍କ ସହଯୋଗକୁ ଆହୁରି ମଜବୁତ କରିବାର ସଙ୍କେତ ଦେଇଛି।