କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଡାରେଙ୍ଗାବା ଗାଁରେ ଅଭାବନୀୟ ଘଟଣା। ବଜ୍ରପାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକଙ୍କୁ ଭାଗୀରଥୀ ଶିଷା ବୋଲି ଚିହ୍ନଟ କରାଯାଇଛି।
ବୁଧବାର ସନ୍ଧ୍ୟାରେ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହେଉଥିଲା। ଏହି ସମୟରେ ଭାଗୀରଥୀ ଘରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା କୁହାଯାଉଛି। ପରିବାର ଲୋକଙ୍କ କହିବା ଅନୁସାରେ, ମୋବାଇଲ୍ଟି ଚାର୍ଜରରେ ଲାଗିଥିବା ବେଳେ ସେ ଇୟରଫୋନ୍ ଲଗାଇ ଫୋନ୍ ଦେଖୁଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହେବାରୁ ସେ ଗୁରୁତର ହୋଇପଡ଼ିଥିଲେ।
ଘଟଣା ପରେ ପରିବାର ଓ ସମ୍ପର୍କୀୟମାନେ ତୁରନ୍ତ ଭାଗୀରଥୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନନ୍ଦପୁର କମ୍ୟୁନିଟି ହେଲ୍ଥ ସେଣ୍ଟର (CHC)କୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁଃଖଦ ଘଟଣା ପରେ ଡାରେଙ୍ଗାବା ଗାଁରେ ଶୋକର ଛାୟା ଖେଳିଯାଇଛି। ଭାଗୀରଥୀଙ୍କ ମୃତ୍ୟୁ ଖବର ପାଇ ଗାଁ ଲୋକେ CHCରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି। ଏଭଳି ଘଟଣା ପରେ ବଜ୍ରପାତ ସମୟରେ ମୋବାଇଲ୍ ଓ ବିଦ୍ୟୁତ୍ ସଂଯୋଗ ଥିବା ଉପକରଣ ବ୍ୟବହାର ନେଇ ସତର୍କତାର ଆବଶ୍ୟକତା ପୁଣିଥରେ ସାମ୍ନାକୁ ଆସିଛି।