ଉତ୍ତର ଓଡ଼ିଶାରେ ବର୍ଷାର ତାଣ୍ଡବ। ଗଭୀର ହେଉଥିବା ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ବାଲେଶ୍ୱର, ମୟୂରଭଞ୍ଜ ସମେତ ଏକାଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ଜନଜୀବନ ପ୍ରଭାବିତ ହେବା ସହ ନଦୀ ଓ ଜଳଭଣ୍ଡାରର ଜଳସ୍ତର ବଢ଼ିବା ନେଇ ଚିନ୍ତା ବଢ଼ିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସକାଳ ୮ଟା ୩୦ ସୁଦ୍ଧା ଜାରି ତଥ୍ୟ ଅନୁସାରେ, ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୨୩୬ ମିମି ବର୍ଷା ରେକର୍ଡ ହୋଇଛି। ଏହାସହ ମୟୂରଭଞ୍ଜର ଶାମାଖୁଣ୍ଟାରେ ୨୩୦ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୨୧୫.୨ ମିମି ବର୍ଷା ରେକର୍ଡ ହୋଇଛି।
ମୟୂରଭଞ୍ଜର ବାଙ୍ଗିରିପୋଷିରେ ୧୭୦.୮ ମିମି, ବେତନଟୀରେ ୧୬୭ ମିମି, ମୁରୁଡ଼ାରେ ୧୩୨ ମିମି ଓ ଚନ୍ଦନପୁରରେ ୧୩୦.୨ ମିମି ବର୍ଷା ହୋଇଛି।
ସେହିପରି ବାଲେଶ୍ୱରର ରାଜଘାଟରେ ୨୦୪.୮ ମିମି, NH-5 ଗୋବିନ୍ଦପୁରରେ ୧୮୫.୬ ମିମି, ବାଲେଶ୍ୱର ସହରରେ ୧୬୯.୪ ମିମି ଏବଂ ଜଳେଶ୍ୱରରେ ୧୬୨ ମିମି ବର୍ଷା ହୋଇଛି। ରେମୁଣା, ବାହାନଗା ଓ ରାଇରଙ୍ଗପୁରରେ ମଧ୍ୟ ୧୨୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି।
IMD ଅନୁସାରେ, ଏହି ସମୟ ମଧ୍ୟରେ ୪ଟି ସ୍ଥାନରେ ଅତି ପ୍ରବଳ, ୧୫ଟି ସ୍ଥାନରେ ଅତି ଭାରୀ ଏବଂ ୧୬ଟି ସ୍ଥାନରେ ଭାରୀ ବର୍ଷା ହୋଇଛି।
ଲଘୁଚାପ ପ୍ରଭାବରେ ଆଗକୁ ମଧ୍ୟ ବର୍ଷାର ପ୍ରଭାବ ରହିପାରେ। ନଦୀ ଓ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବାରୁ ଉତ୍ତର ଓଡ଼ିଶାରେ ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।