ନୂଆଦିଲ୍ଲୀ: ଓଡ଼ିଶାର ନୂଆ ପୁଲିସ ଡିଜି (DGP) ଚୟନ ପ୍ରକ୍ରିୟାକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ବଡ଼ ମୋଡ଼ ଆସିଛି। ଅଗଷ୍ଟ ୧୩ରେ ସୁପ୍ରିମକୋର୍ଟ ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC)କୁ ଓଡ଼ିଶା DGP ଚୟନ ପ୍ରକ୍ରିୟାକୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଆଗକୁ ନବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଆଜି UPSCରେ DGP ପଦ ପାଇଁ ପ୍ରାର୍ଥୀ ଚୟନ ନେଇ ବୈଠକ ହେବାର ଥିଲା। ତେବେ ଓଡ଼ିଶା DGP ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (PIL) ସୁପ୍ରିମକୋର୍ଟରେ ଉଠିଥିଲା।
ବରିଷ୍ଠ ଆଇନଜୀବୀ ପି. ଚିଦମ୍ବରମ୍ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କ ସମ୍ମୁଖରେ ମାମଲାଟି ଉଲ୍ଲେଖ କରିଥିଲେ। ତାଙ୍କ ଅଭିଯୋଗ ଥିଲା, DGP ଚୟନ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ‘ପ୍ରକାଶ ସିଂହ’ ରାୟରେ ଦିଆଯାଇଥିବା ନିର୍ଦ୍ଦେଶର ଉଲ୍ଲଂଘନ କରୁଛି।
ଚିଦମ୍ବରମ୍ ଆହୁରି ଦାବି କରିଥିଲେ ଯେ, ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଜଣେ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇ ତାଙ୍କ ନାମ UPSC ପଠାଯାଇଥିବା ପ୍ୟାନେଲରେ ସାମିଲ କରିବାକୁ ପଦକ୍ଷେପ ନିଆଯାଇଛି।
ଅନ୍ୟପଟେ ଓଡ଼ିଶାର ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ନିୟମ ଉଲ୍ଲଂଘନ ହୋଇନଥିବା କହିବା ସହ ଏକ ସର୍ଭିସ ବିବାଦରେ PILର ଗ୍ରହଣୀୟତା ଉପରେ ପ୍ରଶ୍ନ ଉଠାଇଥିଲେ।
ଖଣ୍ଡପୀଠ ମଧ୍ୟ PILର maintainability ନେଇ ସନ୍ଦେହ ପ୍ରକାଶ କରିଥିଲେ। ତେବେ ‘ପ୍ରକାଶ ସିଂହ’ ମାମଲାରେ ଆମିକସ୍ କ୍ୟୁରି ଥିବା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ନିଆଯାଇଥିଲା। ସେ ଆବେଦନକୁ ସମର୍ଥନ କରି କହିଥିଲେ ଯେ DGP ଚୟନ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହେଉନାହିଁ।
ଏହାକୁ ବିଚାରକୁ ନେଇ ସୁପ୍ରିମକୋର୍ଟ UPSCକୁ ବୈଠକ ସ୍ଥଗିତ ରଖିବାକୁ କହିଛନ୍ତି। ଅଗଷ୍ଟ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେଣୁ ସେପର୍ଯ୍ୟନ୍ତ ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିବ।