ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଦେଶ ପାଳିବ ୮୦ତମ ସ୍ୱାଧୀନତା ଦିବସ । ସଜେଇ ହୋଇଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର । ଆଉ କମ୍ପୁଛି ମହାତ୍ମା ଗାନ୍ଧୀ ମାର୍ଗ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ଆଜି ସକାଳୁ ପରେଡରେ ଅଂଶଗ୍ରହଣ କରିବାକୁ ଥିବା ଟ୍ରୁପ୍ ଫୁଲ୍ ଡ୍ରେସ୍ ଅଭ୍ୟାସ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ଚଳିତ ବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ମୋଟ 51ଟି ଟ୍ରୁପ୍ ଅଂଶ ଗ୍ରହଣ କରିଛନ୍ତି । ଯେଉଁଥିରେ ଛତିଶଗଡ଼ରୁ ଟ୍ରୁପ୍ ସାମିଲ ଅଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗରେ ସକାଳୁ ଅଭ୍ୟାସ ଆରମ୍ଭ ହୋଇଛି ।
ସେପଟେ ଗାନ୍ଧୀ ମାର୍ଗରେ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଆଜି ସକାଳ ୮.୩୦ ମିନିଟ୍ ଠାରୁ ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣ ଅଭ୍ୟାସ ପରେଡ୍ ଅନୁଷ୍ଠିତ ହେବ । ସେହିପରି ଅଗଷ୍ଟ ୧୫ ଦିନ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପରେଡ୍ ସକାଳ ୬ ଘଟିକାଠାରୁ ଆରମ୍ଭ ହେବ । ସର୍ବସାଧାରଣଙ୍କ ସୁଗମନାଗମନ ଓ ପାର୍କିଂ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଟ୍ରାଫିକ୍ ପୋଲିସ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦିଷ୍ଟ ମାର୍ଗ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭ୍ୟାସ ପରେଡ୍ ଏବଂ ପୂର୍ଣ୍ଣ ପରେଡ୍ ସମୟରେ କୌଣସି ପ୍ରକାର ଭାରୀଯାନ ରାମମନ୍ଦିର ଏବଂ ରାଜମହଲ ଛକ ପଟୁ ମାଷ୍ଟରକ୍ୟାଣ୍ଟିନ୍ ଛକକୁ ଯିବାକୁ ଦିଆଯିବ ନାହିଁ । କେବଳ ଦୁଇ ଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଆଡ଼କୁ ଆସିପାରିବେ କିନ୍ତୁ ପି.ଏମ.ଜି. ଛକ ଆଡ଼କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ । ହାଉସିଂବୋର୍ଡ ଛକ ପଟୁ ରବିନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ଯାନବାହାନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ଆଗକୁ ନଯାଇ ସେହିଠାରୁ ବାମପଟ ଲେନ୍ ଦେଇ ଯାତାୟତ କରିପାରିବେ । ସେହିପରି ଏ.ଜି. ଛକରୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ଗଳି ରାସ୍ତା ଦେଇ ଇଡକଲ୍ ଅଡିଟୋରିୟମ୍ ପଟକୁ ଯିବେ ।୧୨୦ ବାଟାଲିୟନ୍ ଛକରୁ ରବିନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଏମ୍.ଏଲ୍.ଏ. କଲୋନୀ ରାସ୍ତା ଦେଇ ୟୁନିଟ୍ -୪ ନମ୍ବର ଆଡ଼କୁ ଯିବେ ।
ସେହିପରି ଗାଡ଼ି ରଖିବା ପାଇଁ ନିର୍ଦ୍ଧିଷ୍ଟ ପାର୍କିଂ ସ୍ଥାନ ରହିଛି । ରେଳଷ୍ଟେସନ ପାଖ ବି.ଡ଼ି.ଏ. ବସଷ୍ଟାଣ୍ଡ, କଂଗ୍ରେସ ଭବନ, ଇଡକ୍ଟଲ୍ ଅଡିଟୋରିୟମ୍, ଜୟଦେବ ଭବନ ସାମ୍ନା, ୟୁନିଟ୍-୩ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନା, ରବିନ୍ଦ୍ରମଣ୍ଡପ ଓ ୟୁନିଟ୍-୨ ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆରେ ଥିବା ଖୋଲା ସ୍ଥାନରେ ଗାଡ଼ି ପାର୍କିଂ କରିବାକୁ ବ୍ୟବସ୍ଥା କରାଯାଇଛି ।
ସ୍ଵାଧୀନତା ଦିବସ ସମାରୋହ ଶେଷ ହେବା ପର୍ଯ୍ୟନ୍ତ ପି.ଏମ.ଜି. ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ମଧ୍ୟରେ କୌଣସି ବ୍ୟକ୍ତି ଗ୍ୟାସ ବେଲୁନ୍ ବିକ୍ରି କରିପାରିବେ ନାହିଁ । ଏହି ସବୁ ନିୟମ ଉଲ୍ଲଂଘନ କଲେ ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ଧାରା ୯୬ ଅନୁଯାୟୀ ସର୍ବନିମ୍ନ ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ ।
ସ୍ୱାଧୀନତା ଦିବସ ପାଇଁ ସମ୍ପୂର୍ଣ୍ଣ ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ବିଶେଷକରି ଗାନ୍ଧୀ ମାର୍ଗରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ରହିଛି । ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ସମସ୍ତଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ରାତିରେ ପାଟ୍ରୋଲିଂ ଓ ବ୍ଲକିଂ ଚେକିଂ ମଧ୍ୟ କରାଯାଉଛି ।