ଭୁବନେଶ୍ୱର: ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ଅପରାଧିକ ମାମଲାରେ ସଫଳ ଦଣ୍ଡବିଧାନ ସୁନିଶ୍ଚିତ କରିବା ସହ ତଦନ୍ତ ଓ ଆଇନଗତ ପ୍ରକ୍ରିୟାରେ ଉତ୍କୃଷ୍ଟ ଅବଦାନ ପାଇଁ ଓଡ଼ିଶା ପୋଲିସର ଅଧିକାରୀ ଏବଂ ସରକାରୀ ଆଇନଜୀବୀଙ୍କୁ ଆଜି ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫଳ ଦଣ୍ଡବିଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜିଲ୍ଲା ପୋଲିସ ଅଧିକ୍ଷକ, ତଦାରଖ ଅଧିକାରୀ, ସରକାରୀ ଆଇନଜୀବୀ ଓ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ମାନିତ କରିଥିଲେ।
ଏହି ଅବସରରେ ମୋଟ ୬୬ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୨୪ ଜଣ ତଦନ୍ତକାରୀ ଅଧିକାରୀ, ୧୧ ଜଣ ତଦାରଖ ଅଧିକାରୀ, ୨୩ ଜଣ ସରକାରୀ ଆଇନଜୀବୀ ଏବଂ ୮ ଜଣ ଏସ୍ପି ଅଛନ୍ତି। ସମ୍ମାନିତ ଅଧିକାରୀମାନଙ୍କ ମଧ୍ୟରେ ଡ. ଉମା ଶଙ୍କର ଦାଶ, ଆଇପିଏସ, ଆଇଜିପି (ଗୃହରକ୍ଷୀ ଏବଂ ଅଗ୍ନିଶମ ସେବା), ଶ୍ରୀ ସ୍ମିଥ ପି. ପରମାର, ଆଇପିଏସ, ତତ୍କାଳୀନ ଏସପି, ଝାରସୁଗୁଡ଼ା, ଶ୍ରୀ ରୋହିତ ବର୍ମା, ଆଇପିଏସ, ଏସପି, କୋରାପୁଟ, ଶ୍ରୀ ହରିଶ ବି.ସି., ଆଇପିଏସ, ତତ୍କାଳୀନ ଏସପି, କନ୍ଧମାଳ, ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଆଇପିଏସ, ତତ୍କାଳୀନ ଏସପି, କନ୍ଧମାଳ, ଶ୍ରୀ ନିତିନ କୁଶଲକର, ଆଇପିଏସ, ଏସପି, କେନ୍ଦୁଝର, ଡ. ସରବଣା ବିବେକ ଏମ୍., ଆଇପିଏସ, ଏସପି, ବ୍ରହ୍ମପୁର, ଶ୍ରୀ ମୁକେଶ କୁମାର ଭାମୁ, ଆଇପିଏସ, ଏସପି , ସମ୍ବଲପୁର ଏବଂ ଶ୍ରୀ ରାହୁଲ ଗୋଏଲ, ଆଇପିଏସ, ପୂର୍ବତନ ଏସଡିପିଓ, ବାଲିଗୁଡ଼ା ପ୍ରମୁଖ ଉପସ୍ଥିତ ରହି ପ୍ରଶଂସା ପତ୍ର ଗ୍ରହଣ କରିଥିଲେ। ଏହା ସହ ଏହି ବିଭିନ୍ନ ଜିଲ୍ଲାର ତଦାରଖକାରୀ ଅଧିକାରୀ, ସରକାରୀ ଓକିଲ ଓ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ସମାରୋହରେ ‘ନ୍ୟାୟ ସଂହିତା ପ୍ରଦର୍ଶନୀ–୨୦୨୬’ର ସଫଳ ଆୟୋଜନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ମଧ୍ୟ ପ୍ରଶଂସିତ କରାଯାଇଥିଲା। ନୂତନ ଅପରାଧିକ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଆଇନଗତ ସାକ୍ଷରତା ବୃଦ୍ଧି କରିବା ଦିଗରେ ପ୍ରଦର୍ଶନୀଟି ଏକ ଗୁରୁତ୍ୱପୂର୍ଣ୍ଣ ଜନସଚେତନତା ପଦକ୍ଷେପ ଥିଲା।
ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରର ୟୁନିଟ୍-3ସ୍ଥିତ IDCO ପ୍ରଦର୍ଶନୀ ପଡ଼ିଆରେ ୬ରୁ ୧୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ଏହି ସପ୍ତାହବ୍ୟାପୀ ପ୍ରଦର୍ଶନୀକୁ ଏକ ଲକ୍ଷରୁ ଅଧିକ ଲୋକ ପରିଦର୍ଶନ କରିଥିଲେ। ଡିଜିପିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ଯୋଜନା ଓ ଅପରାଧ ଶାଖାର ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହା ସଫଳତାର ସହ କାର୍ଯ୍ୟକାରୀ ହୋଇଥିଲା। ଏହି ଅବଦାନ ପାଇଁ ୧୫ ଜଣ ଅଧିକାରୀଙ୍କୁ ଡିଜିପିଙ୍କ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ନିଜ ଅଭିଭାଷଣରେ ଡିଜିପି ଶ୍ରୀ ଖୁରାନିଆ କହିଥିଲେ ଯେ ୧ ଜୁଲାଇ ୨୦୨୪ରୁ ଲାଗୁ ହୋଇଥିବା ନୂତନ ଅପରାଧିକ ଆଇନଗୁଡ଼ିକ ଅପରାଧିକ ନ୍ୟାୟ ପ୍ରକ୍ରିୟାକୁ ଅଧିକ ପୀଡ଼ିତ-କେନ୍ଦ୍ରିକ, ଫୋରେନସିକ୍-ଆଧାରିତ ଏବଂ ସମୟ ସୀମା ମଧ୍ୟରେ ଶେଷ ହୋଇପାରୁଛି।
ସଫଳ ଦଣ୍ଡବିଧାନ କରିବା ପଛରେ ତଦନ୍ତକାରୀ ଅଧିକାରୀ ଓ ସରକାରୀ ଆଇନଜୀବୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରହିବା ଯୋଗୁଁ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଥିଲେ । ଅପରାଧସ୍ଥଳରୁ ଆରମ୍ଭ କରି ଅଦାଲତରେ ଅନ୍ତିମ ଯୁକ୍ତି ଉପସ୍ଥାପନ ପର୍ଯ୍ୟନ୍ତ ଉଭୟ ପକ୍ଷର ସମନ୍ୱିତ ପ୍ରୟାସ ଦୋଷ ସାବ୍ୟସ୍ତ ହାର ବୃଦ୍ଧିରେ ସହାୟକ ହୋଇଛି ବୋଲି ସେ କହିଥିଲେ।
ଆଜିର ଏହି ସମାରୋହରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଡିଆଇଜି (ଏସଟିଏଫ) ଡ. କନୱର ବିଶାଳ ସିଂହ, ଡିଆଇଜି (କ୍ରାଇମବ୍ରାଞ୍ଚ) ଶ୍ରୀ ବାତୁଳା ଗଙ୍ଗାଧର, ଡିଆଇଜି (କ୍ରାଇମବ୍ରାଞ୍ଚ) ଶ୍ରୀ ମଡକର ସନ୍ଦୀପ ସମ୍ପତ, ଏସପି (କ୍ରାଇମବ୍ରାଞ୍ଚ) ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।