କଟକ: ଆଜି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାଟ୍ରିକ ସପ୍ଲିମେଣ୍ଟାରୀ ଛାତ୍ରଛାତ୍ରୀଙ୍କ ପାସ୍ ହାର ୬୩.୬୪% ରହିଛି । ମୋଟ ୫୭୬୦ ଜଣ ପରୀକ୍ଷା ଦେଇଥିବାବେଳେ ୩୬୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୨.୬୫% ପାସ୍ ହାର ରହିଛି ।
ବୋର୍ଡ ଦ୍ୱାରା ପ୍ରକାଶିତ ମାଟ୍ରିକ ସପ୍ଲିମେଣ୍ଟାରୀ ଫଳାଫଳ ଅନୁସାରେ ଜଣେ ବି ପରୀକ୍ଷାର୍ଥୀ ଗ୍ରେଡ୍-A1ରେ ପାସ୍ କରି ନାହାଁନ୍ତି । ସେହିପରି ଗ୍ରେଡ୍-A2ରେ ମାତ୍ର ୫ ଜଣ ଅଛନ୍ତି । B1ରେ 12 ଜଣ , B2ରେ ୫୩ ଜଣ, C ରେ ୧୯୨ ଜଣ, Dରେ ୫୩୬ ଜଣ ଏବଂ ଗ୍ରେଡ୍-Eରେ ୨୫୯୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୨୭୫ କମ୍ପାର୍ଟମେଣ୍ଟ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ୨୦୯୪ଜଣ ଯୋଗ୍ୟତା ହାସଲ କରିପାରି ନାହାଁନ୍ତି ।
ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା
ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ମୋଟ ୮,୬୯୮ ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୫,୪୫୦ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହା ଫଳରେ ମୋଟ ପାସ୍ ହାର ୬୨.୬୫% ହୋଇଛି। ସପ୍ଲିମେଣ୍ଟାରୀ ପରୀକ୍ଷା ପରି ଏଥିରେ ମଧ୍ୟ କୌଣସି ପରୀକ୍ଷାର୍ଥୀ A1 ଗ୍ରେଡ୍ ପାଇ ନାହାଁନ୍ତି । ଗ୍ରେଡ୍ -A2ରେ ୧୦ ଜଣ, B1ରେ ୧୦୯ ଜଣ, B2ରେ ୪୦୧ ଜଣ, Cରେ ୮୬୮ ଜଣ, Dରେ ୧,୫୧୪ ଜଣ ଏବଂ ଗ୍ରେଡ୍ -E ରେ ୨,୫୪୮ ଜଣ ଅଛନ୍ତି । ୩,୧୮୫ ଜଣ ପରୀକ୍ଷାର୍ଥୀ ଅକୃତକାର୍ଯ୍ୟ ହୋଇଛନ୍ତି।
ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ୍ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ କରାଯାଇଛି । ଛାତ୍ରଛାତ୍ରୀମାନ www.bseodisha.nic.in କୁ ଯାଇ ନିଜର ରୋଲ୍ ନମ୍ବର ଏବଂ ନାମ ଦେଇ ଫଳାଫଳ ଦେଖି ପାରିବେ । ସେହିପରି ଇଣ୍ଟରନେଟ୍ ସୁବିଧା ନ ଥିବା ପରୀକ୍ଷାର୍ଥୀମାନେ ଏସ୍ଏମ୍ଏସ୍ ଜରିଆରେ ପରୀକ୍ଷା ଫଳ ପାଇ ପାରିବେ । ଏଥିପାଇଁ ମୋବାଇଲ୍ର ମେସେଜ୍ ବକ୍ସରେ OR10<RollNo> ଟାଇପ୍ କରି 5676750 ନମ୍ବରକୁ ପଠାଇବାକୁ ପଡ଼ିବ। ଏହାପରେ ଟେକ୍ଟ ମେସେଜ୍ ଜରିଆରେ ଛାତ୍ରଛାତ୍ରୀଙ୍କ ନିକଟରେ ଫଳାଫଳ ପହଁଚି ଯିବ ।
ଅଗଷ୍ଟ ୧୭ ତାରିଖରୁ ପରୀକ୍ଷାର୍ଥୀମାନେ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ। ଛାତ୍ରଛାତ୍ରୀମାନେ ନିଜର ନାମ, ରୋଲ୍ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଭଲ ଭାବେ ଯାଞ୍ଚ କରିବା ସହ ଭବିଷ୍ୟତ ପାଇଁ ଡିଜିଟାଲ୍ କପି ସୁରକ୍ଷିତ ରଖିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।