ମାଲକାନଗିରି: ଗାଁ ପାଖ ପୋଖରୀରେ କୁମ୍ଭୀରକୁ ନେଇ ଚିନ୍ତାରେ ପଡ଼ିଥିଲେ ଗ୍ରାମବାସୀ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ବନ ବିଭାଗର ରାପିଡ୍ ରେସପନ୍ସ ଟିମ୍ (RRT)। ଦୀର୍ଘ ସମୟର ଉଦ୍ୟମ ପରେ ସଫଳତାର ସହ ୪ ଫୁଟିଆ ମଗର କୁମ୍ଭୀରକୁ ଉଦ୍ଧାର କରାଯାଇଛି।
ଘଟଣାଟି ମାଲକାନଗିରି ଫରେଷ୍ଟ ଡିଭିଜନ ଅଧୀନ ବାଲିମେଳା ରେଞ୍ଜର MV-104 ଗାଁରେ ଘଟିଛି। ଅଗଷ୍ଟ ୧୦ ତାରିଖରେ ଗାଁର ଏକ ଘରୋଇ ପୋଖରୀରେ ସ୍ଥାନୀୟ ଲୋକେ କୁମ୍ଭୀରକୁ ଦେଖିଥିଲେ। ପୋଖରୀରେ କୁମ୍ଭୀର ଥିବା ଦେଖିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ସ୍ଥାନୀୟ ଲୋକେ ତୁରନ୍ତ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ରାପିଡ୍ ରେସପନ୍ସ ଟିମ୍ (RRT) ସହ ବାଲିମେଳା ରେଞ୍ଜର ଫିଲ୍ଡ ଷ୍ଟାଫ୍ଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା।
କୁମ୍ଭୀରର ଗତିବିଧି ଉପରେ ନଜର ରଖିବା ସହ ଉଦ୍ଧାର ପାଇଁ ଟିମ୍ ପକ୍ଷରୁ ଲଗାତାର ଉଦ୍ୟମ କରାଯାଇଥିଲା। ବାରମ୍ବାର ଚେଷ୍ଟା ପରେ ଶେଷରେ ଟିମ୍ କୁମ୍ଭୀରଟିକୁ ସୁରକ୍ଷିତ ଭାବେ କାବୁ କରିବାରେ ସଫଳ ହୋଇଥିଲା।
ଉଦ୍ଧାର ପରେ ୪ ଫୁଟିଆ ମଗର କୁମ୍ଭୀରଟିକୁ ବର୍ତ୍ତମାନ ମେଡିକାଲ ଅବଜରଭେସନରେ ରଖାଯାଇଛି। ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଆବଶ୍ୟକ ଅନୁମତି ଓ ସ୍ୱାସ୍ଥ୍ୟଗତ ଯାଞ୍ଚ ଶେଷ ହେଲେ କୁମ୍ଭୀରଟିକୁ ପୁଣି ତା’ର ପ୍ରାକୃତିକ ବାସସ୍ଥାନରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ରୋକିବା ଏବଂ ବନ୍ୟପ୍ରାଣୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ କୌଣସି ଅଞ୍ଚଳରେ କୁମ୍ଭୀର କିମ୍ବା ଅନ୍ୟ ବନ୍ୟପ୍ରାଣୀ ଦେଖାଗଲେ ନିଜେ ଧରିବାକୁ ଚେଷ୍ଟା ନକରି ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରାଯାଇଛି।