ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବାଘ ସଫାରୀ ଭିତରୁ ଆସିଛି ଏହି ହୃଦୟ ବିଦାରକ ଚିତ୍ର। ଯେଉଁଠି ଏକ ମହାବଳ ବାଘ ହରିଣକୁ ଖିନ୍ଭିନ୍ କରି ଖାଉଛି। ଏହି ଭିଡିଓ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ ଗତ ଅଗଷ୍ଟ ୮ ତାରିଖରେ ଏହି ଘଟଣାଟି ଘଟିଛି। ନନ୍ଦନକାନନ ବାଘ ସଫାରୀରେ ପର୍ଯ୍ୟଟକ ସଫାରୀ ଗାଡ଼ିରେ ବୁଲୁଥିବା ବେଳେ ସଫାରୀ ଭିତରେ ହଠାତ୍ ଏକ ବାଘ ହରିଣ ଉପରେ ଲମ୍ପ ମାରିଥିଲା। ହରିଣଟି ଜୀବନ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରି ବାଘ କବଳରୁ ବଞ୍ଚି ପାରି ନ ଥିଲା। କିଛି ସମୟ ମଧ୍ୟରେ ତା’ର ଜୀବନ ଚାଲିଯାଇଥିଲା। ଏହି ଦୃଶ୍ୟ ସେ ସମୟରେ ପର୍ଯ୍ୟଟକମାନଙ୍କ ପାଇଁ ଭୟର କାରଣ ପାଲଟିଥିଲା। ତଥାପି ଏହି ସମୟରେ କେହି କେହି ଭିଡିଓ ଉତ୍ତୋଳନ କରିବାକୁ ମଧ୍ୟ ଭୁଲି ନ ଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଚିଡିଆଖାନା ନିୟମ ଅନୁଯାୟୀ ଖାଦ୍ୟ ଓ ଖାଦକ ଏକାଠି ରହିବାର ନିୟମ ନଥିବା ବେଳେ ହରିଣ ଏବଂ ବାଘ କିପରି ଏକାଠି ଥିଲେ । ନିୟମ ଉଲ୍ଲଙ୍ଘନ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଚିଡ଼ିଆଖାନା କତ୍ତୃପକ୍ଷ।
ନନ୍ଦନକାନନ ଉପ-ନିର୍ଦ୍ଦେଶକ ପ୍ରଦୀପ ମୀରାସେ କହିଛନ୍ତି ଯେ ଏହା ଏକ ଚିଡ଼ିଆଖାନା ସହ ଅଭୟାରଣ୍ୟ ଅଟେ। ଅନ୍ୟପଟେ ଏହା ବାଘ ସଫାରୀ ଯେହେତୁ ଏଠାରେ ଜଙ୍ଗଲ ପରିବେଶରେ ରହିଛି ସେଠାରେ ମୁକ୍ତରେ ବିଚରଣ କରୁଥିବା ହରିଣଙ୍କୁ ବାଘର ସ୍ବଭାବ ଅନୁଯାୟୀ ଆକ୍ରମଣ କରି ମାରି ଖାଇପାରିବ। ଏଥିରେ ଅସୁବିଧା କିଛି ନାହିଁ ।