କେନ୍ଦୁଝର: ଘରୋଇ କଳହରୁ ଘଟିଗଲା ଭୟଙ୍କର କାଣ୍ଡ। ସାମାନ୍ୟ ଝଗଡ଼ା ଶେଷରେ ସ୍ୱାମୀଙ୍କ ମୁଣ୍ଡରେ କାଠ ପଟାରେ ଆଘାତ କଲେ ସ୍ତ୍ରୀ। ଗୁରୁତର ଆହତ ସ୍ୱାମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଧୀନ ଢେଙ୍କିକୋଟ ଫାଣ୍ଡି ଅଞ୍ଚଳର ବାଙ୍କାପାଟୁଳି ମୁଣ୍ଡା ସାହିରେ।
ମୃତକ ହେଲେ ଆନନ୍ଦ ମୁଣ୍ଡା। ପୋଲିସ ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଆନନ୍ଦ ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାକୁ ନେଇ ସ୍ତ୍ରୀ ଜାତ୍ରୀ ମୁଣ୍ଡାଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। କଥା କଟାକଟି ଧୀରେଧୀରେ ଉଗ୍ର ରୂପ ନେଇଥିଲା।
ଅଭିଯୋଗ ଅନୁସାରେ, ଝଗଡ଼ା ସମୟରେ ଜାତ୍ରୀ ଉତ୍ତ୍ୟକ୍ତ ହୋଇ ଏକ କାଠ ପଟାରେ ଆନନ୍ଦଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ। ଆଘାତ ପରେ ଆନନ୍ଦ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଗୁରୁତର ଅବସ୍ଥାରେ ଆନନ୍ଦଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)କୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଢେଙ୍କିକୋଟ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣା ପରେ ଅଭିଯୁକ୍ତ ସ୍ତ୍ରୀ ଜାତ୍ରୀ ମୁଣ୍ଡାଙ୍କୁ ପୋଲିସ ଗିରଫ କରିଛି।