ଭୁବନେଶ୍ୱର: ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନଙ୍କ ହତ୍ୟା ମାମଲା ମନରୁ ଲିଭି ନ ଥିବାବେଳେ ପୁଣି ଥରେ ବାଲିଅନ୍ତାରୁ ଆସିଛି ସମାନ ମାମଲା । ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ବର୍ତ୍ତମାନ ଗୁରୁତର ବ୍ୟକ୍ତି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ସେ ହେଲେ ବାଲିଅନ୍ତା ଥାନା ଅନ୍ତର୍ଗତ ସୁଦ୍ଧ ଷଡ଼ଙ୍ଗୀ ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁ । ଘଟଣାକୁ ନେଇ ବାଲିଅନ୍ତା ଥାନା ଘେରାଉ କରିଛନ୍ତି ଗ୍ରାମବାସୀ ।
ଲକ୍ଷ୍ମୀଧରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ଗତ ଚାରି ଦିନ ତଳେ ବିଦ୍ୟାଳୟରେ ଭୋଜି ପାଇଁ କିଛି ପିଲା ତାଲା ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଲକ୍ଷ୍ମୀଧର ସ୍ୱାଇଁ ବଜାରରୁ ପରିବା ଧରି ଫେରୁଥିବାବେଳେ ସେମାନଙ୍କୁ ଦେଖି ତାଲା ନ ଭାଙ୍ଗିବାକୁ ଅଟକାଇଥିଲେ । ଏହି ସମୟରେ ଯୁବକମାନେ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଲକ୍ଷ୍ମୀଧରଙ୍କୁ ପ୍ରବଳ ମାଡ଼ ମାରିବା ପରେ ସ୍କୁଲ ପଛ ପଟେ ଫିଙ୍ଗି ଦେଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏକ ଘରୋଇ ଚିକିତ୍ସାଳୟରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଏ ନେଇ ପରିବାର ଲୋକେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଚାରି ଦିନ ହେବ ପୋଲିସ ହାତ ଖାଲି ରହିଛି । ଯାହାକୁ ନେଇ ଗ୍ରାମବାସୀ ତାତିଛନ୍ତି । ଆଜି ସୁଦ୍ଧ ଷଡ଼ଙ୍ଗୀ ଗ୍ରାମର ଶତାଧିକ ମହିଳା ବାଲିଅନ୍ତା ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ ଧରିବାକୁ ଦାବି କରିଛନ୍ତି । ଅପରପକ୍ଷେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଆକ୍ରମଣକାରୀ ନିଶା ସେବନ କରିଥିଲେ । ସେମାନେ ଡ୍ରଗ୍ସ ଖାଇଥିବା କହିଛନ୍ତି ।
ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।