ଭୁବନେଶ୍ୱର: ଆଜି ବିଶ୍ୱ ହାତୀ ଦିବସ। ହାତୀଙ୍କ ସୁରକ୍ଷା, ସଂରକ୍ଷଣ ଓ ସେମାନଙ୍କ ବାସସ୍ଥଳୀକୁ ସୁରକ୍ଷିତ ରଖିବା ନେଇ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ଦିବସ ପାଳନ କରାଯାଏ। ଏହି ଅବସରରେ ଭୁବନେଶ୍ୱର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।
ବିଶ୍ୱ ହାତୀ ଦିବସ ଅବସରରେ ନନ୍ଦନକାନନରେ ରହୁଥିବା ହାତୀମାନଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ଭୋଜି। ହାତୀମାନଙ୍କୁ ବିଭିନ୍ନ ପ୍ରକାରର ଫଳ ସମେତ ଅନ୍ୟାନ୍ୟ ଖାଦ୍ୟ ଦିଆଯାଇଥିଲା। ନିଜ ପସନ୍ଦର ଖାଦ୍ୟ ପାଇ ହାତୀମାନେ ମଧ୍ୟ ଖୁବ୍ ଉତ୍ସାହିତ ହୋଇଥିଲେ। ଏହି ସ୍ୱତନ୍ତ୍ର ଫିଡିଂ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମଧ୍ୟ ଜିଣିଥିଲା।
ନନ୍ଦନକାନନରେ ବର୍ତ୍ତମାନ ବାସନ୍ତୀ, ହୀରା, ଲିସା ଓ ଆଶା ନାମରେ ଚାରିଟି ମାଈ ହାତୀ ରହିଛନ୍ତି। ପ୍ରତିବର୍ଷ ବିଶ୍ୱ ହାତୀ ଦିବସରେ ସେମାନଙ୍କ ଯତ୍ନ ଓ ମନୋରଞ୍ଜନ ପାଇଁ ବିଭିନ୍ନ ଏନ୍ରିଚମେଣ୍ଟ କାର୍ଯ୍ୟକ୍ରମ ସହ ସ୍ୱତନ୍ତ୍ର ଖାଦ୍ୟ ପ୍ରଦାନ କରାଯାଏ।ତେବେ ଏହି ଦିବସର ମୂଳ ଉଦ୍ଦେଶ୍ୟ କେବଳ ହାତୀଙ୍କୁ ଖାଦ୍ୟ ଦେବା ନୁହେଁ। ହାତୀଙ୍କ ସୁରକ୍ଷା ଏବଂ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସଂରକ୍ଷଣ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ହେଉଛି ଏହି ଦିବସର ପ୍ରମୁଖ ଲକ୍ଷ୍ୟ।
ନନ୍ଦନକାନନ ପକ୍ଷରୁ ପୂର୍ବରୁ ମଧ୍ୟ ହାତୀ ସଂରକ୍ଷଣକୁ ନେଇ ସଚେତନତା କାର୍ଯ୍ୟକ୍ରମ, କୁଇଜ୍ ଓ ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ନେଇ ବିଭିନ୍ନ ଆୟୋଜନ କରାଯାଇଛି। ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷ କମାଇବା ସହ ଜଙ୍ଗଲ ଓ ହାତୀଙ୍କ ସୁରକ୍ଷା ପାଇଁ ସାମୂହିକ ସଚେତନତାର ଆବଶ୍ୟକତା ରହିଛି।