ଭୁବନେଶ୍ୱର: ଘରେ କାମ କରୁଥିବା ସହାୟିକାଙ୍କ ଉପରେ ସରକାରୀ ବାବୁଙ୍କ ପାପ ନଜର! ହୋଟେଲ ଓ ମଲ୍କୁ ଡାକିବା, ଘରକୁ ଆସିଲେ ଅସଦାଚରଣ କରିବା ଏବଂ ଏକୁଟିଆ ପାଇ ବେଡରୁମ୍ରେ ବ୍ୟାଡ୍ ଟଚ୍ କରିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଅଭିଯୋଗ ଅନୁସାରେ, ରେଲୱେ କର୍ମଚାରୀ ବିପ୍ଳବ ମହାନ୍ତି ଘରେ କାମ କରୁଥିବା ସହାୟିକାଙ୍କୁ ବିଭିନ୍ନ ସମୟରେ ହୋଟେଲ ଓ ମଲ୍କୁ ଡାକୁଥିଲେ। ଏପରିକି ଘରକୁ କାମ କରିବାକୁ ଆସିଥିବା ବେଳେ ତାଙ୍କ ସହ ଅସଦାଚରଣ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଏକୁଟିଆ ପାଇ ବେଡରୁମ୍ରେ ଅସଦାଚରଣ କରିଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।
ଏହି ଘଟଣାକୁ ନେଇ ପୀଡ଼ିତା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ବିପ୍ଳବ ମହାନ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି। ପୀଡ଼ିତା କ୍ୟାମେରା ଆଗରେ ମଧ୍ୟ ଘଟଣା ସମ୍ପର୍କରେ ନିଜ ପକ୍ଷ ରଖିଛନ୍ତି।
ତେବେ ଘଟଣାରେ ଆସିଛି ନୂଆ ମୋଡ଼। ପୀଡ଼ିତାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ରେଲୱେ କର୍ମଚାରୀ। ଟଙ୍କା ପାଇଁ ସେ ବ୍ଲାକମେଲ୍ କରୁଥିବା ଅଭିଯୋଗ ବିପ୍ଳବ ଆଣିଛନ୍ତି। ଏହାସହ ତାଙ୍କର ଏକ ଅଡିଓ ମଧ୍ୟ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ସେଥିରେ ବିପ୍ଳବ ତାଙ୍କୁ ଫେବର ମାଗୁଥିବା ଶୁଣିବାକୁ ମିଳୁଛି।
ଏପରିକି ବିନା ସିସିଟିଭି ଥିବା ଅଞ୍ଚଳକୁ ଆସିବା ଏବଂ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ବାବୁ ଚାପ ପକାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଗୋଟିଏ ପଟେ ଅସଦାଚରଣର ଅଭିଯୋଗ, ଅନ୍ୟପଟେ ବ୍ଲାକମେଲିଂର ପାଲଟା ଅଭିଯୋଗ, ଘଟଣାକୁ ନେଇ ଏବେ ତଦନ୍ତ ଉପରେ ନଜର। ପୋଲିସ ତଦନ୍ତ ପରେ ହିଁ ସମ୍ପୂର୍ଣ୍ଣ ଘଟଣାର ସତ ସାମ୍ନାକୁ ଆସିବ।