ଭୁବନେଶ୍ୱର : ଆଜି ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ତିଥି । ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ଯା। ଏହି ଉପଲକ୍ଷେ ଶ୍ରୀମନ୍ଦିର ବିଧି ଅନୁଯାୟୀ ମହାପ୍ରଭୁଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ । ବିଭିନ୍ନ ନୀତିକାନ୍ତି ସରିବା ପରେ ବାଡ଼ଗ୍ରାହୀ ଦଇତାପତିମାନେ ରତ୍ନସିଂହାସନରେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ଶ୍ରୀଜିଉମାନଙ୍କର ମସ୍ତକରୁ ଏହି ସୁବର୍ଣ୍ଣ ଚିତାକୁ ଓଲାଗି କରାଯାଇଥିଲା । ରଥଯାତ୍ରା ଦିନ ମହାପ୍ରଭୁ ଲାଗି କରାଯାଇଥିଲା ସୋଲା ଚିତା । ଆଜି ଏହି ସୋଲା ଚିତାକୁ ଓଲାଗି କରି ରତ୍ନଚିତା ଲାଗି କରାଯିବ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳା ଖଚିତ ଚିତା ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ପାନା ଚିତା ଲାଗି କରାଯିବ। ନୀତି ସରିବା ପରେ ଠାକୁରଙ୍କୁ ମହାସ୍ନାନ କରାଯିବ। ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିବ ।
। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରଥମ ଭୋଗମଣ୍ଡପ ଶେଷ ହେବାପରେ ଆରମ୍ଭ ହେବ ସ୍ବତନ୍ତ୍ର ନୀତିକାନ୍ତି। ଆଜି ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ମଧ୍ୟ ଚିତଉ ପିଠା ଲାଗି ହୋଇଥାଏ ଓ ଏହା ଛପନ ଭୋଗ ମଧ୍ୟରୁ ଅନ୍ୟତମ ।
ସେହିପରି ଆଜି ପ୍ରତି ଓଡ଼ିଆ ଘରେ ମଧ୍ଯ ଏହା ପାଳନ ହୋଇଥାଏ। ଏହା ଗେଣ୍ଡେଇକଟା ଓଷା ନାମରେ ଉତ୍ତର ଓଡ଼ିଶାରେ ପାଳିତ ହୋଇଥାଏ । ଆଜିର ଦିନରେ ଗେଣ୍ଡାମାନଙ୍କୁ ଚିତଉ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ଲୋକବିଶ୍ୱାସ ରହିଛି ଯେ ଏହି ଦିନ ଗେଣ୍ଡାମାନଙ୍କୁ ପିଠା ଖାଇବାକୁ ଦେଲେ ସେମାନେ ଘରର କାହାକୁ କାମୁଡ଼ନ୍ତି ନାହିଁ ବା କ୍ଷତି କରନ୍ତି ନାହିଁ ବୋଲି ଲୋକବିଶ୍ୱାସ ରହିଛି।