ଭୁବନେଶ୍ୱର: ସବୁଜ ଶକ୍ତି ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଓଡ଼ିଶା। ରାଜ୍ୟର ୩,୧୬୩ଟି ସରକାରୀ କୋଠାର ଛାତରେ ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କରାଯାଇଛି। ଏହି ସୋଲାର ପ୍ରକଳ୍ପଗୁଡ଼ିକର ସମୁଦାୟ ସ୍ଥାପିତ କ୍ଷମତା ୩୮.୧୨ ମେଗାୱାଟ୍ ବୋଲି ରାଜ୍ୟସଭାରେ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ଏବଂ ବିଦ୍ୟୁତ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ଯଶୋ ନାଏକ ସୂଚନା ଦେଇଛନ୍ତି।
ରାଜ୍ୟସଭା ସାଂସଦ ଦିଲୀପ କୁମାର ରାୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସରକାରୀ କୋଠାଗୁଡ଼ିକର ଖାଲି ଛାତକୁ ବ୍ୟବହାର କରି ସୋଲାର ପ୍ୟାନେଲ୍ ସ୍ଥାପନ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।
PM Surya Ghar: Muft Bijli Yojana ଅଧୀନରେ ସରକାରୀ କୋଠାରେ ରୁଫଟପ୍ ସୋଲାର ସ୍ଥାପନ ଏକ ପ୍ରମୁଖ ଅଂଶ ଭାବେ ରହିଛି। ଏଥିପାଇଁ ବିଭିନ୍ନ ମଡେଲ୍ ମାଧ୍ୟମରେ ରୁଫଟପ୍ ସୋଲାର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବିସ୍ତୃତ ଗାଇଡଲାଇନ୍ ଜାରି କରାଯାଇଛି।
ନବୀକରଣୀୟ ଶକ୍ତି କ୍ଷେତ୍ରରେ ଅଭିଜ୍ଞ Central Public Sector Enterprises (CPSEs) ମାନଙ୍କୁ ମଧ୍ୟ ଏହି ପ୍ରକଳ୍ପରେ ସାମିଲ କରି କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସହଯୋଗ କରିବାର ବ୍ୟବସ୍ଥା ରହିଛି। ତେବେ ସରକାରୀ କୋଠା ଉପରେ ରୁଫଟପ୍ ସୋଲାର ସ୍ଥାପନ ପାଇଁ କେନ୍ଦ୍ରୀୟ ଆର୍ଥିକ ସହାୟତା (CFA) ଉପଲବ୍ଧ ନାହିଁ। କେନ୍ଦ୍ର ସରକାରଙ୍କ ମତରେ, ଏଭଳି ପ୍ରକଳ୍ପ ସବସିଡି ବିନା ମଧ୍ୟ ଆର୍ଥିକ ଭାବେ ଲାଭଜନକ ହୋଇପାରିବ।
ଓଡ଼ିଶାର ନୋଡାଲ୍ ଏଜେନ୍ସି OREDA ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ୩,୧୬୩ଟି ସରକାରୀ କୋଠା ସୋଲାର ଶକ୍ତି ସହ ଯୋଡ଼ି ହୋଇସାରିଛି। ଏବେ ଏହାର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଆହୁରି ଅନେକ ସରକାରୀ କୋଠା ଚିହ୍ନଟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧,୯୬୦ରୁ ଅଧିକ ସରକାରୀ କୋଠାରେ RESCO ମଡେଲ୍ରେ ରୁଫଟପ୍ ସୋଲାର ପ୍ରକଳ୍ପ ପାଇଁ ଚିହ୍ନଟ କରାଯାଇଥିଲା।
ପରବର୍ତ୍ତୀ ସର୍ଭେରେ ସେଥିରୁ ୯୨୫ଟି କୋଠା ସୋଲାର ସ୍ଥାପନ ପାଇଁ ଉପଯୁକ୍ତ ବୋଲି ଜଣାପଡ଼ିଛି। ଏହି ୯୨୫ଟି ସରକାରୀ କୋଠାରେ ସୋଲାରାଇଜେସନ୍ ପାଇଁ ଆନୁମାନିକ ୭୯.୫୬ ମେଗାୱାଟ୍ କ୍ଷମତା ଆବଶ୍ୟକ ହେବ। ଫଳରେ ଆଗାମୀ ଦିନରେ ସରକାରୀ ଭିତ୍ତିଭୂମିରେ ସୌର ଶକ୍ତିର ବ୍ୟବହାର ଆହୁରି ବଢ଼ିବାର ବଡ଼ ସମ୍ଭାବନା ରହିଛି।