ଭୁବନେଶ୍ୱର: ଓଡ଼ିଶାରେ ଦିବ୍ୟାଙ୍ଗ ଓ ସାମାଜିକ ସୁରକ୍ଷା ବିଭାଗ ଅଧୀନରେ ଚାଲୁଥିବା ଅନେକ ଅନୁଷ୍ଠାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ବିଭାଗ ଅଧୀନରେ ଥିବା ୧୮ଟି ଅନୁଷ୍ଠାନରେ ଏଯାଏଁ ପାଚେରୀ ନଥିବା ଜଣାପଡ଼ିଛି। ଫଳରେ ବୁଲା କୁକୁର ସହ ଅନ୍ୟ ପଶୁ କ୍ୟାମ୍ପସ ଭିତରକୁ ପ୍ରବେଶ କରିବାର ଆଶଙ୍କା ରହିଛି। ଏହା ଅନ୍ତେବାସୀଙ୍କ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ।
ଏନେଇ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ (SSEPD) ପକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତୁରନ୍ତ ସୁଧାରମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ଅଗଷ୍ଟ ୧୦ ତାରିଖରେ SSEPD ନିର୍ଦ୍ଦେଶକ ପାରୁଲ ପଟାୱାରୀ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO)ଙ୍କୁ ଏନେଇ ଚିଠି ଲେଖିଛନ୍ତି।
ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲୁଥିବା ୩୭୬ଟି ଅନୁଷ୍ଠାନର ଭିତ୍ତିଭୂମି ଓ ବୁଲା କୁକୁର ପ୍ରବେଶ ରୋକିବା ସମ୍ପର୍କିତ ବ୍ୟବସ୍ଥା ବିଷୟରେ ତଥ୍ୟ ସଂଗ୍ରହ କରାଯାଇଛି। ଏହି ତଥ୍ୟକୁ ଆଧାର କରି ଓଡ଼ିଶା ହାଇକୋର୍ଟରେ ଦାଖଲ ହେବାକୁ ଥିବା କମ୍ପ୍ଲାଏନ୍ସ ଆଫିଡେଭିଟ୍ ପ୍ରସ୍ତୁତ କରାଯାଉଛି।
ଜିଲ୍ଲାଗୁଡ଼ିକରୁ ମିଳିଥିବା ତଥ୍ୟ ଅନୁସାରେ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ୧୮ଟି ଅନୁଷ୍ଠାନରେ ପାଚେରୀ ନାହିଁ। କେବଳ ପାଚେରୀ ନୁହେଁ, ଭଦ୍ରକ ଓ ଦେବଗଡ଼ର ୨ଟି ଅନୁଷ୍ଠାନରେ ସ୍ଥାୟୀ ଓ କାର୍ଯ୍ୟକ୍ଷମ ଗେଟ୍ ମଧ୍ୟ ନଥିବା ଜଣାପଡ଼ିଛି। ସମ୍ପୃକ୍ତ ଅଧିକାରୀଙ୍କୁ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରି ଶୀଘ୍ର ସ୍ଥାୟୀ ଗେଟ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଯାଜପୁର ଓ କଳାହାଣ୍ଡିର ୩ଟି ଅନୁଷ୍ଠାନରେ ଅପର୍ଯ୍ୟାପ୍ତ ବର୍ଜ୍ୟବସ୍ତୁ ପରିଚାଳନା ମଧ୍ୟ ଚିହ୍ନଟ ହୋଇଛି। ଠିକ୍ ଭାବେ ଅଳିଆ ଆବର୍ଜନା ପରିଚାଳନା ନହେଲେ ବୁଲା କୁକୁର ଆକର୍ଷିତ ହୋଇ ଅନୁଷ୍ଠାନ ପରିସରକୁ ବାରମ୍ବାର ପ୍ରବେଶ କରିପାରନ୍ତି। ଫଳରେ କୁକୁର କାମୁଡ଼ା ଘଟଣାର ଆଶଙ୍କା ବଢ଼ିପାରେ।
ସମସ୍ତ ଚିହ୍ନଟ ତ୍ରୁଟିକୁ ତୁରନ୍ତ ସୁଧାରିବା ସହ ଆକ୍ସନ ଟେକେନ୍ ରିପୋର୍ଟ (ATR) ଦାଖଲ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହ ଜିଲ୍ଲାଗୁଡ଼ିକୁ ଦିଆଯାଇଥିବା ତଥ୍ୟ ସତ୍ୟ, ସଠିକ୍ ଓ ସମ୍ପୂର୍ଣ୍ଣ ବୋଲି ଏକ ଅଣ୍ଡରଟେକିଂ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସୁପ୍ରିମକୋର୍ଟଙ୍କ Suo Motu Writ Petition (Civil) No. 5 of 2025ରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଅନୁଷ୍ଠାନଗୁଡ଼ିକରେ କୁକୁର କାମୁଡ଼ା ରୋକିବା ଓ ବୁଲା କୁକୁର ପରିଚାଳନା ନେଇ SSEPDକୁ ଓଡ଼ିଶା ହାଇକୋର୍ଟରେ କମ୍ପ୍ଲାଏନ୍ସ ଆଫିଡେଭିଟ୍ ଦାଖଲ କରିବାକୁ ପଡ଼ିବ। ତେଣୁ ସମସ୍ତ ଅଧିକାରୀଙ୍କୁ ଏହି ମାମଲାକୁ ଅତ୍ୟନ୍ତ ଜରୁରୀ ଭାବେ ନେଇ ତୁରନ୍ତ ସୁଧାରମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।