ଭୁବନେଶ୍ୱର: ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସାର ଯଦି ଗଞ୍ଜେଇ ଚାଷରେ ବ୍ୟବହାର ହୁଏ, ତେବେ ଏଥିରେ ସମ୍ପୃକ୍ତ ସାର ଡିଲରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ମଙ୍ଗଳବାର ଏଭଳି କଡ଼ା ଚେତାବନୀ ଦେଇଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
ମନ୍ତ୍ରୀ କହିଛନ୍ତି, ଚାଷୀଙ୍କ କୃଷି କାର୍ଯ୍ୟ ପାଇଁ ସାର ଯୋଗାଇ ଦିଆଯାଉଛି। ଏହି ସାରକୁ ବେଆଇନ ଗଞ୍ଜେଇ ଚାଷରେ ବ୍ୟବହାର କରିବା ପାଇଁ ଯୋଗାଇ ଦେବା ଗ୍ରହଣୀୟ ନୁହେଁ। କିଛି ସାର ଡିଲର ଗଞ୍ଜେଇ ଚାଷ ପାଇଁ ସାର ଯୋଗାଉଥିବା ନେଇ ଅଭିଯୋଗ ସରକାରଙ୍କ ନଜରକୁ ଆସିଛି। ଏଭଳି ଅଭିଯୋଗକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି।
ସିଂହଦେଓ ସ୍ପଷ୍ଟ କରିଛନ୍ତି ଯେ, ଗଞ୍ଜେଇ ଚାଷ ପାଇଁ ସାର ଯୋଗାଣରେ ଯେଉଁ ଡିଲର ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ କଡ଼ା ଆକ୍ସନ୍ ନିଆଯିବ। କୃଷି ପାଇଁ ଉଦ୍ଦିଷ୍ଟ ସାରର ବେଆଇନ ବ୍ୟବହାରକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ।
ସାର ଯୋଗାଣ ବ୍ୟବସ୍ଥାରେ ଅନିୟମିତତା ରୋକିବା ସହ ବେଆଇନ ଗଞ୍ଜେଇ ଚାଷକୁ ସହଯୋଗ କରୁଥିବା ବ୍ୟକ୍ତି ଓ ଡିଲରଙ୍କ ଉପରେ ନଜର ରଖାଯିବ। ଚାଷୀଙ୍କ ହିତ ପାଇଁ ଉଦ୍ଦିଷ୍ଟ କୃଷି ସାମଗ୍ରୀ ଯେପରି ବେଆଇନ କାର୍ଯ୍ୟରେ ବ୍ୟବହୃତ ନହୁଏ, ସେନେଇ ସରକାର ଆବଶ୍ୟକ ପଦକ୍ଷେପ ନେବେ।
ମନ୍ତ୍ରୀଙ୍କ ଏହି ଚେତାବନୀ ପରେ ଗଞ୍ଜେଇ ଚାଷକୁ ସାର ଯୋଗାଣ କରୁଥିବା ଅଭିଯୋଗ ଥିବା ଡିଲରଙ୍କ ମଧ୍ୟରେ ଛନକା ପଶିଛି। ସାରର ଅବୈଧ ଯୋଗାଣ ଉପରେ ଏବେ ସରକାରଙ୍କ ନଜର କଡ଼ା ହୋଇଥିବା ସ୍ପଷ୍ଟ ହୋଇଛି।