କଟକ : ବାଙ୍କୀ-ଡମପଡ଼ା ବ୍ଲକ ପରିସରରେ ବିଏନଏସ୍ ୧୬୩ ଧାରା ଲାଗୁ ହୋଇଛି। ଉତ୍ତେଜନା ଆଶଙ୍କାରେ ବିଏନଏସ୍ ୧୬୩ ଲାଗୁ କରିଛି ପୋଲିସ୍। ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବ୍ଲକ୍ ପରିସର ଓ ଆଖପାଖ ଅଂଚଳରେ ମେଳି ନ ହେବା ପାଇଁ କଡ଼ା ନିର୍ଦ୍ଦେଶ। ବିଧାୟକ ଓ ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ମୁହାଁମୁହିଁ ପୂର୍ବରୁ କଟକଣା ଲାଗୁ ହୋଇଛି। ଉଭୟ ସମର୍ଥକଙ୍କ ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ସୂଚନା ଥାଉକି ବିଡିଓ ଜନସାଧାରଣଙ୍କ ସମସ୍ୟା ଶୁଣୁନଥିବା ଏବଂ ମନମାନି କରୁଥିବା ଅଭିଯୋଗ ଆଣିଛି ବିଜେପି । ଏହି ବିଡିଓଙ୍କ ମନମାନି ଅଭିଯୋଗକୁ ନେଇ କଟକ ଜିଲ୍ଲାର ବାଙ୍କୀ ଓ ଡମପଡ଼ା ବ୍ଲକରେ ଏହି ଉତ୍ତେଜନା ଦେଖାଦେଇଛି । ଏହାକୁ ନେଇ ଦୁଇ ଦିନ ପୂର୍ବରୁ ବିଜେପିର ଶତାଧିକ କର୍ମୀ ଉଭୟ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଆଜି ପୁଣି ଥରେ ବିଜେପି ପକ୍ଷରୁ କାର୍ଯ୍ୟାଳୟ ଘେରାଉ ପାଇଁ ନିଷ୍ପତ୍ତି ହୋଇଥିବା ଖବର ରହିଥିଲା । ତେଣୁ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଓ ଆଇନଶୃଙ୍ଖଳା ସମସ୍ୟା ଆଶଙ୍କା କରି ବାଙ୍କୀ ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଏନଏସ୍ ୧୬୩ ଧାରା ଜାରି କରାଯାଇଛି । ଉଭୟ ବ୍ଲକ କାର୍ଯ୍ୟାଳୟ ନିକଟରେ ପୁଲିସ ଫୋର୍ସ ମୁତୟନ କରାଯାଇ ସମସ୍ତ ସ୍ଥିତି ଉପରେ ନଜର ରଖାଯାଇଛି ।