ଭୁବନେଶ୍ୱର: ଭଗବଦ୍ ଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଶିକ୍ଷାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶାରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ଗୀତା ଚାଣ୍ଟିଂ (ଗାନ) ପ୍ରତିଯୋଗିତା ଓ ଗୀତା ଜ୍ଞାନ ପରୀକ୍ଷା। ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଗଷ୍ଟ ୭ ତାରିଖରେ ଏନେଇ ଏକ ଯୋଗାଯୋଗପତ୍ର ଜାରି କରାଯାଇଛି।
ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭଗବଦ୍ ଗୀତାର ଷଷ୍ଠ ଅଧ୍ୟାୟ ‘ଆତ୍ମସଂଯମ ଯୋଗ’ ଉପରେ ଗୁରୁତ୍ୱ ଦିଆଯିବ। ରାଜ୍ୟସ୍ତରୀୟ ଗୀତା ଚାଣ୍ଟିଂ ପ୍ରତିଯୋଗିତା ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ପୁରୀ ଜିଲ୍ଲା ବାଲିଘାଇସ୍ଥିତ ହରିହରାନନ୍ଦ ଗୁରୁକୁଳମ୍ରେ ଅନୁଷ୍ଠିତ ହେବ।
ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହେଉଥିବା ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହେବେ। ରାଜ୍ୟସ୍ତରରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଏକ ବର୍ଷ ପାଇଁ ସ୍କଲାରସିପ୍ ପ୍ରଦାନ କରାଯିବ। ତେବେ ଗୀତା ଚାଣ୍ଟିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାରର ଅଂଶଗ୍ରହଣ ଶୁଳ୍କ ଦେବାକୁ ପଡ଼ିବ ନାହିଁ।
ଏହା ସହିତ ରାଜ୍ୟସ୍ତରୀୟ ଗୀତା ଜ୍ଞାନ ପରୀକ୍ଷା ମଧ୍ୟ ଆୟୋଜିତ ହେବ। ଏହି ପରୀକ୍ଷାର ତାରିଖ ଓ ଅନ୍ୟାନ୍ୟ ବିବରଣୀ ପରେ ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯିବ। ପରୀକ୍ଷା ଦେବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ରେ ପଞ୍ଜୀକରଣ କରିବା ସହ ଧାର୍ଯ୍ୟ ପରୀକ୍ଷା ଫି’ ପ୍ରଦାନ କରିବାକୁ ପଡ଼ିବ।
ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଉତ୍ସାହିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁରୋଧ କରିଛି। ଏନେଇ ଆୟୋଜକଙ୍କ ପକ୍ଷରୁ ପ୍ରସ୍ତୁତ ଏକ ଓଡ଼ିଆ ବୁକ୍ଲେଟ୍ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ପଠାଯାଇଛି।
ଭଗବଦ୍ ଗୀତାର ଶିକ୍ଷା ଓ ଜୀବନ ଦର୍ଶନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜାଣିବାର ସୁଯୋଗ ଦେବା ସହ ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପ୍ରତିଭା ପ୍ରଦର୍ଶନ ପାଇଁ ଏହି ପଦକ୍ଷେପ ଏକ ବଡ଼ ମଞ୍ଚ ସୃଷ୍ଟି କରିବ।