ଭୁବନେଶ୍ୱର:ଚାଷୀ ପଞ୍ଜିକରଣକୁ ନେଇ ‘ଏଗ୍ରିଷ୍ଟାକ୍ ଫାର୍ମର ID’ ବାଧ୍ୟତାମୂଳକ କରାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିଲା। ଏପରିକି ଚାଷୀମାନେ ଏହାର ପ୍ରତିବାଦ ମଧ୍ୟ କରିଥିଲେ। ତେବେ ଚଳିତ ବର୍ଷ ବିନା ଏଗ୍ରିଷ୍ଟେକ ଫାର୍ମର IDରେ ମଧ୍ୟ ଚାଷୀମାନେ ଧାନ ବିକ୍ରି କରିପାରିବେ ବୋଲି ସରକାର ଆଶ୍ୱାସନା ଦେଇଥିଲେ ହେଁ, ଏହାକୁ ନେଇ କୃଷକଙ୍କ ମହଲରେ ଦ୍ୱନ୍ଦ୍ୱ ଜାରି ରହିଛି।
ଏଭଳି ଏକ ସ୍ଥିତିରେ ପଶ୍ଚିମ ଓଡ଼ିଶାରେ ଧାନ କ୍ରୟ ବ୍ୟବସ୍ଥାକୁ ନେଇ ଏକ ବଡ଼ଧରଣର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବଲାଙ୍ଗୀର, ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ବିଧାୟକମାନେ ଅଂଶଗ୍ରହଣ କରିଥିଲେ। ଆସନ୍ତା ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।
ବୈଠକରେ ବିଧାୟକମାନଙ୍କ ଦ୍ୱାରା ଉତ୍ଥାପିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟର ପ୍ରତ୍ୟେକ କୃଷକଙ୍କ ପଞ୍ଜିକରଣ କରାଯିବ। କୌଣସି ମଧ୍ୟ ଚାଷୀଙ୍କ ଟୋକନ ବ୍ରେକ୍ ହେବ ନାହିଁ ଏବଂ ସମସ୍ତଙ୍କୁ ନିୟମିତ ଟୋକନ ଯୋଗାଇ ଦିଆଯିବ। ସରକାର ପ୍ରତ୍ୟେକ କୃଷକଙ୍କ ଠାରୁ ଧାନ କ୍ରୟ କରିବେ ଏବଂ ଚାଷୀମାନଙ୍କୁ କୌଣସି ପ୍ରକାରେ ହଇରାଣ କରାଯିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଜମି ମାଲିକ ଏବଂ ଭାଗଚାଷୀମାନଙ୍କ ସୁବିଧା ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ଜରିଆରେ କୃଷକମାନେ ଫେସ୍ ଅଥେଣ୍ଟିକେସନ୍ ବା ମୁହଁର ପରିଚୟ ମାଧ୍ୟମରେ ସହଜରେ ନିଜର ପଞ୍ଜିକରଣ ସମ୍ପାଦନ କରିପାରିବେ। ରେଜିଷ୍ଟ୍ରେସନ୍ ପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଥିବାବେଳେ, ଆବଶ୍ୟକତା ପଡ଼ିଲେ ଏହି ସମୟସୀମାକୁ ଆହୁରି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।