କଟକ : ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ପରେ ଘଟଣାରେ ନୂଆ ମୋଡ଼ । ଆଜି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇ ତଦନ୍ତକାରୀ ଟିମ୍କୁ ମୃତ ସୌମ୍ୟରଞ୍ଜନଙ୍କ ବାପା ଦୁଃଶାସନ ସ୍ୱାଇଁ ଏକ ପେନ୍ ଡ୍ରାଇଭ ଦେଇଛନ୍ତି।
ତାଙ୍କ କହିବା ଅନୁସାରେ ପେନ୍ ଡ୍ରାଇଭରେ କିଛି ଗୁରୁତ୍ୱପୂର୍ଣ୍ଣ ଭିଜୁଆଲ୍ ସହ ‘ଓମ୍’ଙ୍କ ଭଏସ୍ ରେକର୍ଡ ରହିଛି । ତେବେ କ୍ରାଇମବ୍ରାଞ୍ଚର ପ୍ରାଥମିକ ଚାର୍ଜସିଟ୍କୁ ନେଇ ସୌମ୍ୟରଞ୍ଜନଙ୍କ ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି ।
ତାଙ୍କ ଅଭିଯୋଗ ରହିଛି ଯେ ପୂର୍ବରୁ ପୋଲିସ ୨୭ ଜଣଙ୍କୁ ଚିହ୍ନଟ କରି ୨୦ ଜଣଙ୍କୁ ଗିରଫ କରିଥିଲା । କିନ୍ତୁ କ୍ରାଇମବ୍ରାଞ୍ଚ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ପ୍ରମାଣ ଅଭାବରୁ ଅନ୍ୟ ୯ ଜଣଙ୍କୁ ମାମଲାରୁ ବାଦ୍ ଦେବାକୁ ଯାଉଛି । ଏହାକୁ ନେଇ ସୌମ୍ୟଙ୍କ ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହାସହ ଘଟଣାରେ ଗୋଷ୍ଠୀ ହତ୍ୟା ସମ୍ପର୍କିତ ଦଫା ଲାଗିବା ଦରକାର ବୋଲି ସୌମ୍ୟରଞ୍ଜନଙ୍କ ବାପା ଦାବି କରିଛନ୍ତି । ପ୍ରାଥମିକ ଚାର୍ଜସିଟ୍ରେ ଏହି ଦଫା ନଥିଲେ ମଧ୍ୟ ଫାଇନାଲ୍ ଚାର୍ଜସିଟ୍ରେ ଏହା ଯୋଡ଼ାଯିବ ବୋଲି ଆଇନଜୀବୀମାନେ ଆଶ୍ୱାସନା ଦେଇଥିବା ସେ କହିଛନ୍ତି ।
ସେପଟେ, ମାମଲାରେ ସମ୍ପୃକ୍ତ କୌଣସି ଅଭିଯୁକ୍ତ, ପୋଲିସ କର୍ମଚାରୀ, ଦୁଇ ଯୁବତୀ କିମ୍ବା ‘ଓମ୍’ଙ୍କୁ କ୍ଲିନ୍ଚିଟ୍ ଦିଆଗଲେ ଆଇନଗତ ଲଢ଼େଇ ଜାରି ରଖିବେ ବୋଲି ଦୁଃଶାସନ ସ୍ୱାଇଁ ଚେତାବନୀ ଦେଇଛନ୍ତି । ଆବଶ୍ୟକ ହେଲେ ପୁଣି ଫୌଜଦାରୀ ମାମଲା ଦାୟର କରାଯିବ ଏବଂ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆଇନଗତ ଲଢ଼େଇ ଜାରି ରହିବ ବୋଲି ବାପା କହିଛନ୍ତି ।
ସୂଚନା ଥାଉ କି ଚଳିତ ବର୍ଷ ମେ’ ୭ ତାରିଖରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ କନେଷ୍ଟବଳ ସୌମ୍ୟରଞ୍ଜନ ଓ ତାଙ୍କ ସହ ଥିବା ଓମ୍ ପ୍ରକାଶ ରାଉତଙ୍କୁ ସ୍ଥାନୀୟ ଲୋକଙ୍କ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ । ଏଥିରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।