ଦେବଗଡ଼: ଘର ବାରଣ୍ଡାରେ ବାପା-ପୁଅ ଶୋଇଥିଲେ। ହେଲେ ରାତିରେ ଘଟିଗଲା ଅଘଟଣ। ବିଷଧର ସାପ କାମୁଡ଼ାରେ ଚାଲିଗଲା ମାତ୍ର ଦୁଇ ମାସର ଶିଶୁର ଜୀବନ। ଏପଟେ ସାପ କାମୁଡ଼ାରେ ଗୁରୁତର ହୋଇଥିବା ଶିଶୁର ବାପାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏଭଳି ଦୁଃଖଦ ଘଟଣା ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ତିଲେଇମାଳ ଗାଁରେ ଘଟିଛି।
ମୃତ ଶିଶୁକୁ ରାମଚନ୍ଦ୍ର କିଷାନଙ୍କ ପୁଅ ନିତେଶ କିଷାନ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ରାମଚନ୍ଦ୍ର ଓ ତାଙ୍କ ଦୁଇ ମାସର ଶିଶୁ ନିତେଶ ଘରର ବାରଣ୍ଡାରେ ଶୋଇଥିଲେ। ଏହି ସମୟରେ ଏକ ବିଷଧର ସାପ ଉଭୟଙ୍କୁ କାମୁଡ଼ିଥିବା ଜଣାପଡ଼ିଛି।
ସାପ କାମୁଡ଼ିବା ପରେ ପରିବାର ଲୋକେ ତୁରନ୍ତ ଡାକ୍ତରଖାନା ନେବା ବଦଳରେ ପାରମ୍ପରିକ ଉପଚାର ଉପରେ ଭରସା କରିଥିବା ଅଭିଯୋଗ ହୋଇଛି। ଫଳରେ ସମୟ ଗଡ଼ିଯିବା ସହ ଶିଶୁଟିର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଥିଲା। ଶେଷରେ ବିଷଧର ସାପ କାମୁଡ଼ାରେ ନିତେଶର ମୃତ୍ୟୁ ଘଟିଥିଲା।
ଅନ୍ୟପଟେ, ଘଟଣା ସମ୍ପର୍କରେ ଜାଣି କିଛି ସ୍ଥାନୀୟ ଯୁବକ ପରିବାରକୁ ବୁଝାଇଥିଲେ। ପାରମ୍ପରିକ ଚିକିତ୍ସା ଛାଡ଼ି ତୁରନ୍ତ ହସ୍ପିଟାଲ ନେବାକୁ କହିଥିଲେ। ପରେ ଗୁରୁତର ଅବସ୍ଥାରେ ରାମଚନ୍ଦ୍ରଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।