ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ଗୋ ସୁରକ୍ଷା, ଜୈବିକ ଚାଷ ଏବଂ ମହିଳା ସଶକ୍ତିକରଣ ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଯେଉଁଥିରେ ସରକାର ଲିଟର୍ ପ୍ରତି ୧୦ ଟଙ୍କା ମୂଲ୍ୟରେ ଗୋ ମୂତ୍ର କିଣିବେ । ଯାହାକୁ ଉପଯୋଗ କରି ବିନା ରାସାନିୟକରେ ଫସଲ ପାଇଁ ପ୍ରସ୍ତୁତ ହେବ ଔଷଧ ।
ବୁଲନ୍ଦସହରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି । ସ୍ୟାନା ତହସିଲ ଅନ୍ତର୍ଗତ ନରସୈନା ଗ୍ରାମର ଡାକ୍ତର ପ୍ରବୀଣଙ୍କ ନେତୃତ୍ୱରେ କିସାନ ଉତ୍ପାଦକ ସଂଗଠନ ଗୋ ମୂତ୍ର ସଂଗ୍ରହ କରିବେ । ଆଖପାଖ ୧୫ଟି ଗ୍ରାମରୁ ଗୋ-ମୂତ୍ର ସଂଗ୍ରହ କରାଯିବ । ଏଥିପାଇଁ ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନା କରାଯାଇଛି । ପ୍ରତିଦିନ ୫୦୦ ଲିଟର୍ ଗୋ ମୂତ୍ର ସଂଗ୍ରହ ହେଉଛି । ଏଥିପାଇଁ ପ୍ରତି ଗାଁରେ ୨୦୦ ଲିଟର୍ ବିଶିଷ୍ଟ ଟ୍ୟାଙ୍କର ମଧ୍ୟ ରଖାଯାଇଛି । ଭବିଷ୍ୟତରେ ଲିଟର୍ ପ୍ରତି ୨୦ ଟଙ୍କା ହିସାବରେ ମଧ୍ୟ କିଣାଯାଇପାରେ ।
ଏହା ଦ୍ୱାରା ମହିଳାମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ୩୦୦ ମହିଳା ଏଥିରେ ଅଂଶୀଦାର ମଧ୍ୟ ଅଛନ୍ତି । ଏଥିରେ ମହିଳାଙ୍କ ଆର୍ଥିକ ବିକାଶ ମଧ୍ୟ ହେବାର ସମ୍ଭାବନା ରହିଛି । ତେବେ ସଂଗ୍ରହ ଗୋ-ମୂତ୍ରରୁ ବିନା ରାସାୟନିକ ଦ୍ରବ୍ୟରେ ଫସଲ ପାଇଁ ଔଷଧ ଓ ଜଡ଼ିବୁଟି ପ୍ରସ୍ତୁତ କରାଯିବ । ଏହା ପ୍ରାକୃତିକ ଫସଲକୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ଗୋ ସେବା ଆୟୋଗର ଅଧ୍ୟକ୍ଷ ଶ୍ୟାମ ବିହାରୀ ଗୁପ୍ତା କହିଛନ୍ତି ।