ନୂଆଦିଲ୍ଲୀ: ସୋମବାର ଦିନ ମଧ୍ୟ ପ୍ରଦେଶ ରାଜଗଡ଼ ଜିଲ୍ଲାର ସାରଙ୍ଗପୁର ଅଞ୍ଚଳରେ ପ୍ରବଳ ବର୍ଷା ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୋଟିଏ ଇକୋ ଭ୍ୟାନ୍ ପାଣି ସ୍ରୋତରେ ଭାସି ଯିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଏବେବି ନିଖୋଜ ଅଛନ୍ତି । ସ୍ଥାନୀୟ ଲୋକେ ଆଉ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । କାର୍ ଭିତରେ ମୋଟ ୪ ଜଣ ଶିଶୁ, ୪ ଜଣ ମହିଳା ଏବଂ ୩ ଜଣ ପୁରୁଷ ଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦେବାସ ଜିଲ୍ଲାର ସାତୱାସ ଗ୍ରାମର ଏକ ପରିବାର ରାଜଗଡ଼ ଜିଲ୍ଲାର ସାରଙ୍ଗପୁର ତହସିଲରେ ଅବସ୍ଥିତ କଡନାଭଦ ଗ୍ରାମର ଏକ ଧାର୍ମିକ ସ୍ଥଳ ଦର୍ଶନ ପାଇଁ ଇକୋ କାରରେ ଯାତ୍ରା କରୁଥିଲେ। କାରରେ ମୋଟ ୧୧ ଜଣ ଥିଲେ । ପଦନା ବାଇପାସରେ ନିକଟରେ ନାଳ ସମ୍ପୂର୍ଣ୍ଣ ବର୍ଷା ପାଣିରେ ଭରି ଯାଇଥିଲା । ଚାଳକ ଜଣକ ଗାଡ଼ିକୁ ସେହିଠାରେ ରଖିବା ବଦଳରେ ଗାଡ଼ିକୁ ନାଳ ପାର କରାଇବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ବାରଣ କରିବାକୁ ଚେଷ୍ଟା କରିଥିଲେ । ତଥାପି ଚାଳକ ଗାଡ଼ିକୁ ପାର କରାଇବାକୁ ଚେଷ୍ଟା କରିଥିଲେ । ଫଳରେ ଗାଡ଼ି ପାଣି ସ୍ରୋତରେ ଭାସି ଯାଇଥିଲା ।
ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ଦଳକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକମାନେ ମୁକେଶ ଏବଂ ହୁକୁମ ସିଂହ ନାମକ ଦୁଇ ପୁରୁଷଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ଅପରାହ୍ନ ୨ଟା ସୁଦ୍ଧା କାରକୁ ପାଣିରୁ ଉଦ୍ଧାର କରାଯାଇଥିଲା । ସେଥିରୁ ୭ ଜଣଙ୍କ ମୃତ ଦେହ ମିଳିଥିବାବେଳେ ଆହୁରି ୨ ଜଣ ନିଖୋଜ ଅଛନ୍ତି । ଧନସଦ ଗ୍ରାମର ବାସିନ୍ଦା ମୁକେଶ ନାୟକ କାର ଚଳାଉଥିଲେ ବୋଲି ଜଣାପଡ଼ିଛି । ଅନ୍ୟ ଦୁଇ ଜଣଙ୍କୁ ଖୋଜା ଚାଲିଛି ।