ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟରୁ ଦୁଇ ଥର ନିରାଶ ହେବା ପରେ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଚକ୍ଷୁ ଚିକିତ୍ସା ପାଇଁ ବିଦେଶ ଗସ୍ତ କରିବାକୁ ଅଭିଷେକଙ୍କ ଆବେଦନକୁ ସୁପ୍ରିମକୋର୍ଟ ମଞ୍ଜୁରି ପ୍ରଦାନ କରିଛନ୍ତି ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅଭିଷେକ ବିଦେଶ ଆବେଦନକୁ ଅନୁମୋଦନ କରିଛନ୍ତି । କିନ୍ତୁ ଏଥିପାଇଁ ଅଦାଲତ କିଛିଟା ସର୍ତ୍ତ ରଖିଛନ୍ତି । ସେ କେବଳ ତାଙ୍କର କୂଟନୈତିକ ପାସପୋର୍ଟର ବ୍ୟବହାର କରିପାରିବେ । ବିଦେଶ ଯାତ୍ରା ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଯଥା ବିଦେଶରେ ରହିବା ଠିକଣା, ଚିକିତ୍ସା କରିବାକୁ ଥିବା ଡାକ୍ତର, ହସ୍ପିଟାଲ ଠିକଣା ଏବଂ ଯାତ୍ରା ବିବରଣୀ କୋର୍ଟଙ୍କ ନିକଟରେ ଦାଖଲ କରିବେ ।
ଉଲ୍ଲେଖ ଯୋଗ୍ୟ, କୋଲକାତା ହାଇକୋର୍ଟ ଅଭିଷେକଙ୍କର ଦୁଇ ଦୁଇ ଥର ବିଦେଶ ଯାତ୍ରା ଅନୁମତିକୁ ପ୍ରତ୍ୟାଖ୍ୟାନ କରିଥିଲେ । ପ୍ରଥମ ଥର ନିରାଶ ହେବା ପରେ ଅଭିଷେକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଇକୋର୍ଟ ଦ୍ୱିତୀୟ ଶୁଣାଣିରେ ମଧ୍ୟ ନିଷ୍ପତ୍ତିକୁ କାଏମ ରଖିଥିଲେ । ଏହା ପରେ ସୁପ୍ରିମକୋର୍ଟ ନିଜେ ଏହାର ଶୁଣାଣି କରିଛନ୍ତି ।