ରାଞ୍ଚି: ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଦିଲ୍ଲୀ ଜନ୍ତରମନ୍ତର ଭଳି ରାଞ୍ଚିରେ ଗର୍ଜିଛନ୍ତି ଜେନ୍-ଜି । ସରକାରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ “ବିଧାନସଭା ଘେରାଉ” ଡାକରା ଦେଇଛନ୍ତି । ସୋମବାର ସକାଳୁ ସକାଳୁ ବିଧାନସଭା ଅଭିମୁଖେ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା ଆଗକୁ ବଢ଼ିଛି ।
ହାତରେ ତ୍ରିରଙ୍ଗା ଧରି ଆନ୍ଦୋଳନ ଛାତ୍ର ଗୋଟିଏ ପରେ ଗୋଟିଏ ବ୍ୟାରିକେଡ୍ ଅତିକ୍ରମ କରି ଆଗକୁ ବଢ଼ିଛନ୍ତି । ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାରେ ବିଫଳ ହୋଇଛନ୍ତି । ମୋଟ୍ ୫ଟି ବ୍ୟାରିକେଡ୍ ରଖାଯାଇଛି । କିନ୍ତୁ ଜନ୍ତରମନ୍ତର ଯେଉଁ ସ୍ଥିତି ଉତ୍ପନ୍ନ ହୋଇଥିଲା ତାହାର ଚିତ୍ର ସମ୍ପୂର୍ଣ୍ଣ ଓଲଟା ରହିଛି । ଛାତ୍ରଛାତ୍ରୀମାନେ ଶାନ୍ତି ପୂର୍ଣ୍ଣ ଶୋଭା ଯାତ୍ରା କରିଛନ୍ତି । ତେବେ ଖବର ଲେଖାଯିବା ବେଳେ ଆନ୍ଦୋଳନ ଶାନ୍ତି ପୂର୍ଣ୍ଣ ରହିଥିଲା ।
ଏହି ଛାତ୍ର ଆନ୍ଦୋଳନକୁ ବିଜେପି ମଧ୍ୟ ସମର୍ଥନ କରିଛନ୍ତି । ରାଞ୍ଚିରେ ପ୍ରତିବାଦ କରୁଥିବା ଛାତ୍ରମାନେ ବିଧାନସଭା ଅଭିମୁଖେ ପଦଯାତ୍ରା କରୁଥିବା ବେଳେ, ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି। ପୋଲିସ ବିଜେପି କର୍ମୀମାନଙ୍କୁ ବାହାର କରୁଛି, ଯେଉଁମାନେ ହେମନ୍ତ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ଜାରି ରଖିଛନ୍ତି । ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ବିଜେପି ନେତା ଏବଂ କର୍ମୀମାନେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି ।ପ୍ରତିବାଦ ସମୟରେ ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ଏବଂ ରାଜ୍ୟସଭା ସାଂସଦ ଆଦିତ୍ୟ ସାହୁଙ୍କ ସମେତ ଅନେକ ନେତାଙ୍କୁ ଅଟକ ରଖାଯାଇଥିଲା।
ଛାତ୍ର ପ୍ରତିନିଧିମାନେ ଝାଡ଼ଖଣ୍ଡ ଷ୍ଟାଫ୍ ସିଲେକ୍ସନ୍ କମିଶନ (JSSC) ଏବଂ ସିଜିଏଲ୍ (CGL) ପରୀକ୍ଷା ବାତିଲ କରିବା ଏବଂ ସମଗ୍ର ପ୍ରକ୍ରିୟାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସେମାନଙ୍କର ଦାବିରେ ଅଟଳ ରହିଥିଲେ । ସେପଟେ ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁ କହିଛନ୍ତି ସିଜିଏଲ୍ ପରୀକ୍ଷା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ତେଣୁ ରାଜ୍ୟ ସରକାରଙ୍କର ପରୀକ୍ଷା ବାତିଲ କରିବା କିମ୍ବା ସିଧାସଳଖ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାର ଅଧିକାର ନାହିଁ ।